ବୋଲଗଡ଼, ୨୨/୦୯ (ପିପିଟି): ଏମିତି ଏକ ସମୟ ଥିଲା ଯେତେବେଳେ ସାମ୍ବାଦିକ ଶବ୍ଦ ଶୁଣିଲେ ମୁଣ୍ଡ ନଇଁ ଯାଉଥିଲା। ସାମ୍ବାଦିକତା ଏକ ବୃତ୍ତି ନୁହେଁ, ଏକ ତପସ୍ୟା ଥିଲା। ସତ୍ୟ ପାଇଁ ଲଢେଇ, ସମାଜ ପାଇଁ ସମର୍ପଣ। ଅନୁମାନ ୨୦୦୪ ମସିହା ପର୍ଯ୍ୟନ୍ତ ସେହି ଚମକ ଥିଲା। ହେଲେ ୨୦୦୪ ପରବର୍ତ୍ତୀ ସମୟରେ ସବୁ କିଛି ବଦଳିଗଲା। ସାମ୍ବାଦିକତାର ପରିଭାଷା ବଦଳିଗଲା। ମିଶନ ପାଲଟିଗଲା କମିଶନ। କଲମ ଧୀରେ ଧୀରେ ବିକି ହେବାକୁ ଲାଗିଲା। ଆଜିର ପରିସ୍ଥିତି ଏମିତି ହୋଇଛି ଯେ, କିଛି ତଥାକଥିତ ସାମ୍ବାଦିକ ନିଜକୁ କ’ଣ ଭାବନ୍ତି କେଜାଣି, ଇନ୍ଦ୍ର ଚନ୍ଦ୍ରକୁ ମଧ୍ୟ ମାନନ୍ତି ନାହିଁ। ରାସ୍ତାରେ ମୋବାଇଲ ଧରି ବ୍ଲାକମେଲିଂ, ଥାନାରେ ଦଲାଲି, ଅଫିସରଙ୍କୁ ଭୟ ଦେଖାଇ ନିଜ ସ୍ୱାର୍ଥ ହାସଲ କରିବା ହିଁ ଯେମିତି ସାମ୍ବାଦିକତା ହୋଇଗଲାଣି ଫଳରେ ଆଜି ପ୍ରକୃତ ସାମ୍ବାଦିକଙ୍କୁ ଲୋକେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ବର୍ତ୍ତମାନ ସାମ୍ବାଦିକ ବୃତ୍ତିରେ ସେ ଚମକ, ସେ ସମ୍ମାନ ଆଉ ନାହିଁ। ତଥାପି ଆଶା ମରିନାହିଁ। ଆଜି ବି ଗାଁରୁ ସହର ଯାଏଁ କିଛି ଭଲ ସାମ୍ବାଦିକ ଅଛନ୍ତି, ଯେଉଁମାନଙ୍କ ପାଇଁ ଏହି ମହାନ ବୃତ୍ତି ଏବେ ବି ତିଷ୍ଠି ରହିଛି। ଯେଉଁମାନେ ରାତି ଅନିଦ୍ରା ହୋଇ ଗରିବର କଥା ଲେଖୁଛନ୍ତି, ପ୍ରଶାସନର ଆଖି ଖୋଲୁଛନ୍ତି। ସେହି କିଛି ସଚ୍ଚୋଟ ସାମ୍ବାଦିକଙ୍କ ପାଇଁ ହିଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବେ ବି ଛିଡା ହୋଇଛି। ସମୟ ଆସିଛି ଆତ୍ମସମୀକ୍ଷା କରିବାର। ନହେଲେ ଆଗାମୀ ପିଢ଼ି ସାମ୍ବାଦିକଙ୍କୁ ସାମ୍ବାଦିକ ନୁହେଁ, ଦଲାଲ ବୋଲି କହିବ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।