ବେଲଗୁଣ୍ଠା, ୧୮/୦୯(ପିପିଟି ):ବେଲଗୁଣ୍ଠା ବ୍ଲକ୍ର କ୍ଷେତ୍ରୀୟବରପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଆଜି ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭାରେ ଚଳଚଞ୍ଚଳ ହୋଇଉଠିଥିଲା। ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ୧୭ ବର୍ଷରୁ କମ୍ ଓ ୧୪ ବର୍ଷରୁ କମ୍ ବାଳକ ଏବଂ ବାଳିକା ବିଭାଗରେ ବିଭିନ୍ନ କ୍ରୀଡ଼ାରେ ପ୍ରତିଯୋଗୀମାନେ ଉତ୍ସାହର ସହ ଭାଗ ନେଇଥିଲେ।ଉଦ୍ଘାଟନୀ ସମାରୋହରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା, ଶାରୀରିକ ସୁସ୍ଥତା ଓ ପ୍ରତିଭା ବିକାଶର ଏକ ପ୍ରମୁଖ ମାଧ୍ୟମ ବୋଲି କହିଥିଲେ। ମୁଖ୍ୟ ବକ୍ତା ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ କ୍ରୀଡ଼ା ସହିତ ଶିକ୍ଷାକୁ ସମାନ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ, ଡା ଜ୍ଞାନ ରଞ୍ଜନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୀମାଞ୍ଚଳ ଜାନି, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଓ ସମିତି ସଭ୍ୟ କୁଞ୍ଜ ବିହାରୀ ନାୟକ ଯୋଗଦେଇଥିଲେ। ସିଆରସିସି ଛାୟାକାନ୍ତ ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଦଳବେହେରା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶିଶିର ପ୍ରଧାନ ଉପସ୍ଥିତ ଥିଲେ। ବ୍ଲକ୍ କ୍ରୀଡ଼ା ସମ୍ପାଦକ ଆଶୁତୋଷ କୁମାର ସ୍ବାଇଁଙ୍କ ସଂଯୋଜନାରେ ପ୍ରତିଯୋଗିତା ପରିଚାଳିତ ହୋଇଥିଲା।
ରିପୋର୍ଟ -ସୁଶାନ୍ତ କୁମାର ବେହେରା