ଯାଜପୁର,୧୫/୦୯(ପିପିଟି ):ଅକାଳରେ ଝରିଗଲା ଏକ ଅମୂଲ୍ୟ ଜୀବନ। ସଡ଼କ ଦୁର୍ଘଟଣାରେ ସୁକିନ୍ଦା ବ୍ଲକ୍ ଲେମ୍ବୋ ପଞ୍ଚାୟତ ଅନ୍ତର୍ଗତ ବେଠିଆହତା ଗ୍ରାମର ଯୁବ ସଂଗଠକ ସାନ୍ତ୍ୱନୁ ବିନ୍ଧାଣୀଙ୍କ ଅକାଳ ବିୟୋଗ ଅଞ୍ଚଳବାସୀଙ୍କୁ ଗଭୀର ଶୋକରେ ବୁଡ଼ାଇ ଦେଇଛି। ଜଣେ ଯୁବ, ସକ୍ରିୟ ଓ ସମାଜସେବୀ ମନୋଭାବର ବ୍ୟକ୍ତିଙ୍କ ଏଭଳି ଅକାଳ ମୃତ୍ୟୁ ପରିବାର, ବନ୍ଧୁବର୍ଗ ଓ ଅଞ୍ଚଳବାସୀଙ୍କ ମନରେ ଗଭୀର ଶୂନ୍ୟତା ସୃଷ୍ଟି କରିଛି।
ଦୁଃଖଦ ଖବର ପାଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ବେଠିଆହତାସ୍ଥିତ ମୃତକଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ଏହି ଦୁଃଖଦ ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପାଖରେ କିଛି ସମୟ ରହି ସେ ସେମାନଙ୍କୁ ସାନ୍ତ୍ୱନା ଦେବା ସହ ଗଭୀର ସମବେଦନା ଜଣାଇଥିଲେ।
ଇଂ ଘଡ଼ାଇ ସାନ୍ତ୍ୱନୁଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ବିୟୋଗରେ ପରିବାର ଓ ଆତ୍ମୀୟସ୍ୱଜନଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଥିଲେ। ଏଭଳି ଅସହ୍ୟ ଦୁଃଖର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶୋକାକୁଳ ପରିବାରକୁ ଏହି ଅପୂରଣୀୟ କ୍ଷତିକୁ ସହିବା ପାଇଁ ସାହସ, ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ସେ ପ୍ରାର୍ଥନା କରିଥିଲେ।