ସୁଭଦ୍ରା ଯୋଜନାର ୫ମ କିସ୍ତି; ଗଞ୍ଜାମର ୯ ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ଟଙ୍କା ।

0 230

ଛତ୍ରପୁର,୨୮/୦୮(ପିପିଟି): ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳା ସଶକ୍ତିକରଣର ଏକ ନୂଆ ଅଧ୍ୟାୟ ଯୋଡ଼ିଛି ସୁଭଦ୍ରା ଯୋଜନା। ଓଡ଼ିଶା ସରକାର ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରିଛନ୍ତି । ପ୍ରତ୍ୟେକ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦିଆଯାଇଥିବା ବେଳେ ଏଥିପାଇଁ ସରକାର ୫ ହଜାର ୧୬୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରିଛନ୍ତି ।

ନୟାଗଡ଼ ଲାଠିପଡ଼ା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ୫ମ କିସ୍ତି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରାଙ୍କ ସମେତ ସୁଭଦ୍ରା ହିତାଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ଗଞ୍ଜାମ ଜିଲ୍ଲାରେ ଆଜି ୫ମ କିସ୍ତିରେ ୯ ଲକ୍ଷ ୨୬ ହଜାର ୬୪୧ ଜଣ ହିତାଦିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରାୟ ୪୬୩ କୋଟି ୩୨ ଲକ୍ଷ ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଛି ।

ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଭଉଣୀମାନେ ଛତ୍ରପୁର ବିଧାୟକ,ଜିଲ୍ଲାପାଳ ଓ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଫୁଲ ଓ ଚନ୍ଦନ ଦେଇ ରାକ୍ଷୀ ବାନ୍ଧିଥିଲେ ।

ଏହି ଅବସରରେ ଭିଡିଓ କନଫରେନ୍ସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଛତ୍ରପୁରର ବେବି ମହାରଣା ଓ ବୁଗୁଡ଼ାର କବିତା ମହାରଣାଙ୍କ ସହ ଆଲୋଚନା କରିଥିଲେ। ସୁଭଦ୍ରା ଯୋଜନାରୁ ସେମାନେ ପାଉଥିବା ସୁବିଧା, ଏହି ସହାୟତାର ପ୍ରଭାବ ଏବଂ ଏହା ମାଧ୍ୟମରେ ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ ।

ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ ଏହି ଅର୍ଥରାଶି ପାଇ ଜିଲ୍ଲାର ଲକ୍ଷ ଲକ୍ଷ ସୁଭଦ୍ରା ଭଉଣୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ସୁଭଦ୍ରା ଯୋଜନାର ପ୍ରଥମ ଚାରିଟି କିସ୍ତିରେ ରାଜ୍ୟର ଏକ କୋଟିରୁ ଅଧିକ ମହିଳାଙ୍କୁ ମୋଟ ୨୦ ହଜାର ୬୪୮ କୋଟି ୬୩ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇସାରିଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ପାଖାପାଖି ୧୦ ଲକ୍ଷ ମହିଳା ଏହି ଯୋଜନାର ଲାଭ ପାଇ ଆସୁଛନ୍ତି ।

Leave A Reply

Your email address will not be published.