ବିଜେପିର ଜଣେ ନିଃସ୍ୱାର୍ଥପର ସୈନିକ, ଲୋକଙ୍କ ହୃଦୟରେ ରାଜ କରୁଥିବା ଯୁବ ନେତା ସଞ୍ଜୀବ ।

0 4

ଯାଜପୁର,୨୮/୦୮(ପିପିଟି): ଜନସାଧାରଣଙ୍କ ସୁଖଦୁଃଖରେ ସାମିଲ ହୋଇ ସେମାନଙ୍କ ସମସ୍ୟା ବୁଝିବା ଏବଂ ଲୋକଙ୍କ ପାଇଁ ସବୁବେଳେ ଛିଡ଼ା ହେଉଥିବା ରାଜନେତାଙ୍କୁ ସାଧାରଣତଃ ‘ଜନନେତା’ ବା ‘ଲୋକପ୍ରିୟ ନେତା’ କୁହାଯାଏ। ସରଳତା, ସେବା ମନୋଭାବ ଓ ଲୋକଙ୍କ ପ୍ରତି ନିଷ୍ଠା ଯୋଗୁଁ ଅନେକ ନେତା ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥାନ୍ତି। ସେହିଭଳି ଜଣେ ଯୁବ ନେତା ହେଉଛନ୍ତି ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀର ସଞ୍ଜୀବ କୁମାର ଜେନା।

ବନ୍ୟା ହେଉ କି ବାତ୍ୟା, ସୁଖ ହେଉ କି ଦୁଃଖ ସବୁ ସମୟରେ ଲୋକଙ୍କ ସହ ରହିବାକୁ ସଞ୍ଜୀବ ପ୍ରାଥମିକତା ଦେଇଥାନ୍ତି। ତାଙ୍କ ମତରେ, ‘ଜନସେବା ହିଁ ରାଜନୀତିର ମୂଳମନ୍ତ୍ର’। ଏହା କେବଳ ସ୍ଲୋଗାନ ନୁହେଁ, ବରଂ ତାଙ୍କ କାର୍ଯ୍ୟଧାରାର ଏକ ବାସ୍ତବ ଚିତ୍ର।

ରାଜନୀତିକୁ ଆସିବା ଦିନଠାରୁ ସଞ୍ଜୀବ ପଦପଦବୀ କିମ୍ବା କ୍ଷମତାର ଲୋଭ ନ ରଖି ଲୋକଙ୍କ ସେବାକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ପଦପଦବୀଠାରୁ ଦୂରେଇ ରହି ଲୋକଙ୍କ ସମସ୍ୟା ସମାଧାନ ଓ ସେମାନଙ୍କ ସୁଖଦୁଃଖରେ ସାଥୀ ହେବାରେ ସେ ଆନନ୍ଦ ପାଆନ୍ତି।

ବରୀ ନିର୍ବାଚନମଣ୍ଡଳୀରେ ବନ୍ୟା ଯୋଗୁଁ ହଜାର ହଜାର ଲୋକ ପାଣି ଘେରରେ ରହିବା ସହ ବହୁ ଲୋକ ପ୍ରଭାବିତ ହୋଇଥିଲେ। ଏଭଳି କଠିନ ସମୟରେ ଲୋକଙ୍କ ପାଖରେ ପହଞ୍ଚି ଦିନରାତି ଏକ କରି ସେବା କାର୍ଯ୍ୟରେ ଲାଗିପଡ଼ିଥିଲେ ସଞ୍ଜୀବ।

କେଉଁଠି ଗାଁ ଲୋକଙ୍କ ସହ ମିଶି ବାଲିବସ୍ତା ପକାଇ ଘାଇ ରୋକିବାକୁ ପ୍ରୟାସ କରିଥିଲେ, ତ କେଉଁଠି ବନ୍ୟା ବିପନ୍ନଙ୍କ ପାଖରେ ଶୁଖିଲା ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ। ବନ୍ୟାପାଣିକୁ ଖାତିର ନକରି ଅଣ୍ଟାଏ ପାଣିରେ ପଶି ପ୍ରଭାବିତ ଲୋକଙ୍କ ଘରଦ୍ୱାରକୁ ଯାଇ ସେମାନଙ୍କ ଦୁଃଖ ବୁଝିଥିଲେ।

କେଉଁଠି ବନ୍ୟା ପ୍ରଭାବିତଙ୍କ ଦାଣ୍ଡପିଣ୍ଡା କିମ୍ବା ବାରଣ୍ଡାରେ ବସି ସେମାନଙ୍କୁ ସାହସ ଦେଇଥିଲେ, ତ କେଉଁଠି ଭଙ୍ଗା ଘର ଓ ଲୋକଙ୍କ ଦୁର୍ଦ୍ଦଶା ଦେଖି ଭାବପ୍ରବଣ ହୋଇଥିଲେ। ବର୍ଷାରେ ଭିଜି ଭିଜି ବନ୍ୟା ସମୟରେ ‘ବିପଦର ବନ୍ଧୁ’ ଭାବେ ଲୋକସେବାରେ ନିଜକୁ ନିୟୋଜିତ କରିଥିଲେ ସଞ୍ଜୀବ।

ସଞ୍ଜୀବ ନିଜକୁ ବିଜେପିର ଜଣେ ନିଃସ୍ୱାର୍ଥପର ସୈନିକ ଭାବେ ପରିଚୟ ଦେଇଥାନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ଗାଁ ଗାଁ ବୁଲି ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ପ୍ରୟାସ କରୁଛନ୍ତି।

ବରୀ ଅଞ୍ଚଳର ବନ୍ୟା ପରିସ୍ଥିତିରେ ଲୋକଙ୍କ ଅସୁବିଧାକୁ ଦେଖି ମୁଖ୍ୟମନ୍ତ୍ରୀ ରିଲିଫ୍‌ ପ୍ରଦାନ କରିଥିବାରୁ ବରୀବାସୀଙ୍କ ମନରେ ମୋହନ ଚରଣ ମାଝୀଙ୍କ ପ୍ରତି ଆସ୍ଥା ଓ ସମର୍ଥନ ବଢ଼ିଛି ବୋଲି ସଞ୍ଜୀବ କହିଛନ୍ତି।

ଅନ୍ୟପକ୍ଷରେ, ସଞ୍ଜୀବଙ୍କ ସମର୍ଥକମାନେ ‘ସଞ୍ଜୀବ ସେନା’ ନାମରେ ଏକ ସଂଗଠନ ଗଢ଼ି ବରୀ ଅଞ୍ଚଳର ଲୋକଙ୍କ ସେବାରେ ନିୟୋଜିତ ରହିଛନ୍ତି। ସଞ୍ଜୀବଙ୍କ ସମର୍ଥକମାନଙ୍କ କହିବାନୁସାରେ, ରାଜନୀତିରେ ଅନେକ ନେତା ଆସିବେ ଓ ଯିବେ, କିନ୍ତୁ ବରୀବାସୀଙ୍କ ମନରେ ସବୁବେଳେ ‘ବିପଦର ବନ୍ଧୁ’ ଭାବେ ଯେଉଁ ନେତା ରହିବେ, ସେ ହେଉଛନ୍ତି ଯୁବ ନେତା ସଞ୍ଜୀବ କୁମାର ଜେନା।

Leave A Reply

Your email address will not be published.