କେବେ ଭାଙ୍ଗିବ ପ୍ରଶାସନର ନିଦ ,ପଞ୍ଚାୟତରେ ନାହିଁ ଶବଦାହ ଗୃହ ।

0 2

ବେଗୁନିଆପଡା,୨୮/୦୮(ପିପିଟି): ଲୋକଙ୍କ ଦୁଃଖ ଦୂର କରିବା ସହିତ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ହାତପାହନ୍ତା ରେ ପାଇବା ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। କିନ୍ତୁ ବେଗୁନିଆପଡ଼ା ବ୍ଲକର କାଳିମେଘି ପଞ୍ଚାୟତରେ ଏବେ ବି ନାହିଁ ଗୋଟିଏ ଶବଦାହ ଗୃହ। ଫଳରେ ମୃତକଙ୍କ ଶବ ସତ୍କାର ପାଇଁ ପରିବାର ଓ ଗ୍ରାମବାସୀଙ୍କୁ ଭୋଗିବାକୁ ପଡ଼ୁଛି ଅନେକ ସମସ୍ୟା। ୨୨ଟି ଗ୍ରାମ ଓ ୧୫ଟି ରାଜସ୍ୱ ଗ୍ରାମକୁ ନେଇ ଗଠିତ କାଳିମେଘି ପଞ୍ଚାୟତ ବେଗୁନିଆପଡ଼ା ବ୍ଲକର ଏକ ବଡ଼ ପଞ୍ଚାୟତ। କାଳିମେଘି, ଯୋଗିଆଗୁଳ, ମାରୁଡ଼ିପଲ୍ଲୀ, ଲୁହାକୋଟ ସମେତ ଅଧିକାଂଶ ଗ୍ରାମରେ ଶବଦାହ ଗୃହ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ବର୍ଷା ଦିନରେ ସମସ୍ୟା ଆହୁରି ଗମ୍ଭୀର ହେଉଛି। ଖୋଲା ଆକାଶ ତଳେ ଶବଦାହ କରିବାକୁ ପଡ଼ୁଥିବାରୁ ମୃତକଙ୍କ ପରିବାରକୁ ଏହି ଦୁଃଖଦ ସମୟରେ ବିଭିନ୍ନ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।

ପଞ୍ଚାୟତ ପକ୍ଷରୁ ଗତ ଦୁଇ ବର୍ଷ ଧରି ଶବଦାହ ଗୃହ ପାଇଁ ଦାବି ଓ ସୁପାରିସ କରାଯାଇଥିବା ନେଇ କାଳିମେଘି ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ ପ୍ରକାଶ କରିଛନ୍ତି । ଦାବୀ କୁ ଦୁଇ ବର୍ଷ ବିତିଯାଇଥିଲେ ସୁଦ୍ଧା ପ୍ରଶାସନର କୌଣସି ପଦକ୍ଷେପ ନାହିଁ l ଲୋକଙ୍କ ମୌଳିକ ଆବଶ୍ୟକତାର ଏକ ଅଂଶ ଭାବେ ଶବଦାହ ଗୃହ ଭଳି ଆବଶ୍ୟକ ସୁବିଧା ପାଇଁ ଯଦି ଲୋକଙ୍କୁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ୁଛି, ତେବେ ଏହା ପ୍ରଶାସନିକ ତତ୍ପରତା ଉପରେ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି। ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଜେନାଙ୍କ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ କହିଛନ୍ତି ବର୍ତ୍ତମାନ ପୁରୁଣା ଏମଜିଏନଆରଇଜିଏସ୍‌ ସ୍କିମ୍ ବନ୍ଦ ହୋଇଯାଇଛି ନୂଆ ଯୋଜନାରେ କାମ ଆରମ୍ଭ ହେବ । କିନ୍ତୁ ଦେଖିବାକୁ ରହିଲା ଏମିତି ଯୋଜନା ପରେ ଯୋଜନା ବଦଳୁଥିବ ନା ଲୋକଙ୍କ ମୌଳିକ ସମସ୍ୟା ପୂରଣ ହେବ ତାକୁ ନେଇ ସାଧାରଣରେ ଚର୍ଚ୍ଚା।

ଅଧିକାରୀଙ୍କ ଭାଗବଣ୍ଟା ହୋଇପାରୁଥିବା ହେତୁ ପୂର୍ବରୁ ମଞ୍ଜୁରୀ ହୋଇଥିବା ଅର୍ଥରାଶି କାମରେ ଲାଗିପାରୁନଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନ ଉଠିଛି, ଶବଦାହ ଗୃହ ପାଇଁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ? ପ୍ଶାସନ କେବେ ନେବ ପଦକ୍ଷେପ ତାକୁ ହିଁ ଅପେକ୍ଷା ।

Leave A Reply

Your email address will not be published.