ନିଟ୍ ଉତ୍ତୀର୍ଣ୍ଣ ଛାତ୍ରୀଙ୍କୁ ଲାପଟୋପ ପ୍ରଦାନ କଲେ ବିଧାୟକ

0 65

ଯାଜପୁର,୨୫/୦୮(ପିପିଟି ):ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଉତ୍ସାହ ବଢ଼ାଇବା ସହ ମେଧାବୀ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଧର୍ମଶାଳାର ପ୍ରିୟ ବିଧାୟକ ହିମାଂଶୁ ଶେଖର ସାହୁ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ମଧୁପୁରଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁକୁଡ଼ାଖାଳେଇ ଗ୍ରାମର ମେଧାବୀ ଛାତ୍ରୀ ରୋନାଲି ବେହେରା ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ଏକ ଲାପଟୋପ ପ୍ରଦାନ କରିଛନ୍ତି ବିଧାୟକ।

ଛାତ୍ରୀ ରୋନାଲିଙ୍କ ଡାକ୍ତର ହେବାର ସ୍ୱପ୍ନକୁ ଆହୁରି ସୁଦୃଢ଼ କରିବା ସହ ଉଚ୍ଚଶିକ୍ଷା କ୍ଷେତ୍ରରେ ଲାପଟୋପଟି ତାଙ୍କ ପାଇଁ ଉପଯୋଗୀ ହେବ ବୋଲି ବିଧାୟକ ଶ୍ରୀ ସାହୁ କହିଥିଲେ। ମେଧା, ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳର ନାମକୁ ଗୌରବାନ୍ୱିତ କରିପାରିବେ ବୋଲି ସେ ପ୍ରକାଶ କରିଥିଲେ।

ବିଧାୟକଙ୍କ ଏହି ପଦକ୍ଷେପ ରୋନାଲିଙ୍କ ପରିବାର ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ସୃଷ୍ଟି କରିଛି। ମେଧାବୀ ଛାତ୍ରଛାତ୍ରୀଙ୍କୁ ଏଭଳି ପ୍ରୋତ୍ସାହନ ଦେବା ଦ୍ୱାରା ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବାକୁ ପ୍ରେରଣା ପାଇବେ।

Leave A Reply

Your email address will not be published.