ମାଲକାନଗିରି,୨୪/୦୮(ପିପିଟି):ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ସେବାକୁ ଅଧିକ ଜନକଲ୍ୟାଣକାରୀ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଚିତ୍ରକୋଣ୍ଡା ବ୍ଲକର ଟନେଲକ୍ୟାମ୍ପ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦଶରଥୀ ସରାବୁ ଏବଂ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଓ ବିଭିନ୍ନ ଆପତ୍ତି ଅଭିଯୋଗକୁ ପ୍ରତ୍ୟକ୍ଷ ଭାବେ ଶୁଣିଥିଲେ।ଏହି ଶିବିରରେ ସ୍ଥାନୀୟ ଅଞ୍ଚଳରୁ ସମୁଦାୟ ୬୨ଟି ଅଭିଯୋଗ ପତ୍ର ପଞ୍ଜିକୃତ କରାଯାଇଥିଲା। ଏଥିମଧ୍ୟରେ ୧ଟି ବ୍ୟକ୍ତିଗତ ଗୁହାରି ଏବଂ ୪୬ଟି ସାମୁଦାୟିକ ସମସ୍ୟା ଭିତ୍ତିକ ଅଭିଯୋଗ ଅନ୍ତର୍ଭୁକ୍ତ ଥିଲା। ପ୍ରତ୍ୟେକଟି ସମସ୍ୟାର ଗଭୀର ଅନୁଧ୍ୟାନ କରି ସମ୍ପୃକ୍ତ ବିଭାଗଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସମାଧାନ ପାଇଁ ପ୍ରଶାସନ ତରଫରୁ ପଠାଯାଇଛି।
ଶିବିର ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ, ପ୍ରଶାସନର ମୂଳ ଲକ୍ଷ୍ୟ ହେଉଛି ପ୍ରତିଟି ଯୋଗ୍ୟ ନାଗରିକଙ୍କ ପାଖରେ ସରକାରୀ ଯୋଜନାର ଲାଭ ପହଞ୍ଚାଇବା। ଆଜି ଶିବିରରେ ମିଳିଥିବା ସମସ୍ତ ୬୨ଟି ଯାକ ଅଭିଯୋଗକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ ସମୀକ୍ଷା କରାଯିବ। ବିଶେଷ କରି ସାମୁଦାୟିକ ଗୋଷ୍ଠୀଗତ ସମାଧାନକୁ ପ୍ରାଥମିକତା ଦେଇ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
ଅଭିଯୋଗ ଶୁଣାଣି ବ୍ୟତୀତ ଉପସ୍ଥିତ ଅତିଥିମାନେ ପଞ୍ଚାୟତ ପରିସରରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପରିଚାଳିତ ମୋବାଇଲ୍ ଚକ୍ଷୁ ପରୀକ୍ଷା ଶିବିର ଏବଂ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ଉଦ୍ଦିଷ୍ଟ ପ୍ରଗତି ପଥେ ଯୁବା ମାଲକାନଗିରି କେନ୍ଦ୍ର ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିସହ ଶିବିରରେ ଚିହ୍ନଟ ହୋଇଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଆନୁଷ୍ଠାନିକ ଭାବେ ଶିକ୍ଷାଗତ ସହାୟତା ଏବଂ ମାତୃତ୍ୱ କଲ୍ୟାଣ ଯୋଜନାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ସଫଳ ଆୟୋଜନରେ ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ଓ ଜନପ୍ରତିନିଧିମାନେ ପ୍ରମୁଖ ସହଯୋଗ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)