ବେଗୁନିଆପଡା ,୨୩/୦୮(ପିପିଟି):ଜଣଙ୍କ ଶବ ଦାହ କରିବାକୁ ଯାଇ ଶ୍ମଶାନରେ ହୃଦଘାତରେ ଟଳି ପଡିଲେ ସମ୍ପର୍କୀୟ ସଙ୍ଗାତ ଭାଇ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଥିବା ଦେଖିବାକୁ ମିଳିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ଭାଲିଆଝର ଗ୍ରାମରେ। ଭାଲିଆଝର ଗ୍ରାମର ବଳିଆ ପାଣ୍ଡିଙ୍କ ପୁଅ ମନାସ ପାଣ୍ଡିଙ୍କ(୪୫) ଆଜି ସକାଳୁ ମୃତ୍ୟୁ ହେବା ପରେ ତାଙ୍କୁ ପରିବାର, ବନ୍ଧୁବାନ୍ଧବ ଏବଂ ସାଙ୍ଗ ସମ୍ପର୍କୀୟ ଦ୍ୱାରା ଗ୍ରାମ ଶ୍ମଶାନକୁ ସଂସ୍କାର କରିବାକୁ ନିଆଯାଇଥିଲା। ଶବ ସତ୍କାର କରିବା ଲାଗି ଏହି ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତ କନିଆରୀ ବାଡ଼ି ଗ୍ରାମର ମନାସଙ୍କ ସମ୍ପର୍କୀୟ ସଙ୍ଗାତ ଭବାନୀ ସାହୁଙ୍କ ପୁଅ କରୁଣାକର ସାହୁ ଯାଇଥିଲେ। ମନାସଙ୍କ ଶବ ଦାହ ସମୟରେ ହଠାତ କରୁଣାକରଙ୍କ(୪୨) ହୃଦଘାତ ହେବା ଯୋଗୁଁ ସେ ସେଠାରେ ଟଳି ପଡିଲେ। ତାଙ୍କୁ ତୁରନ୍ତ ସୁମଣ୍ଡଳ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଘରେ ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ମୃତ ମନାସ ମଧ୍ୟ ସୁମଣ୍ଡଳ ସ୍ଥିତ ଏକ ଗ୍ୟାସ ଏଜେନସିରେ ସପ୍ଲାୟାର ଭାବେ କାର୍ଯ୍ୟ କରୁଥିଲେ । ଦୁଇ ଦୁଇଟି ମୃତ୍ୟୁ ଖବର ପାଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ