ଭୁବନେଶ୍ବର,୨୨/୦୮(ପିପିଟି):ଓଡିଆ ସଙ୍ଗୀତ ଜଗତର ଅନ୍ୟତମ କିମ୍ବଦନ୍ତୀ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ ନିଧନରେ ସଙ୍ଗୀତ ପ୍ରେକ୍ଷାପଟରେ ଏକ ଅପୂରଣୀୟ ଶୂନ୍ୟତା ସ୍ରୁଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ “ବିରଜା ଭୂମି” ସମ୍ବାଦପତ୍ର କାର୍ଯ୍ୟାଳୟରେ ପତ୍ରିକାର ସମ୍ପାଦକ ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା । ଶ୍ରୀ ସାମଲ ତାଙ୍କ ଅଭିଭାଷଣରେ ପ୍ରଣବ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ଏକ ସଙ୍ଗୀତ ଯୁଗର ଅବସାନ ଘଟିଲା ବୋଲି କହିବା ସଙ୍ଗେସଙ୍ଗେ ତାଙ୍କ ଗାୟନ ଶୈଳୀର ସ୍ଵତନ୍ତ୍ରତା ଉପରେ ଆଲୋକପାତ କରିଥିଲେ ।
ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ କବି ଓ ଗୀତିକାର ମାନଗୋବିନ୍ଦ ବାରିକ୍ ପ୍ରାରମ୍ଭିକ ସୂଚନା ଦେଇ ଓଡ଼ିଆ ସଙ୍ଗୀତ ଜଗତର ଅବିକଳ୍ପ ସଙ୍ଗୀତ ଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କର ଦୀର୍ଘ ଛଅ ଦଶନ୍ଧିର ଚଳଚ୍ଚିତ୍ର ଜଗତରେ ସ୍ଥିତି,ସଙ୍ଗୀତ କୃତି ଓ ଶ୍ରୋତାଙ୍କ ସ୍ୱୀକୃତି ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଣ୍ଠଶିଳ୍ପୀ ହର୍ଷବର୍ଦ୍ଧନ ଉଦ୍ଗାତା ଓ ଡଃ ପ୍ରବୀର ମହାପାତ୍ର ପ୍ରଣବଙ୍କ ସଙ୍ଗୀତ ପରିବେଷଣ କରିବା ସହିତ ଓଡ଼ିଆ ସଙ୍ଗୀତକୁ ତାଙ୍କର ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ l ଶେଷରେ ସଙ୍ଗୀତ ପ୍ରେମୀ ଦୀପକ ତ୍ରିପାଠୀ ତାଙ୍କ ସଙ୍ଗୀତରେ ସ୍ଵତନ୍ତ୍ର ଯାଦୁଗାରୀ ଥିଲା ବୋଲି କହିଥିଲେ ।