***ଓଡ଼ିଆ ଜାତି ଓଡ଼ିଆ ମାଟି ଭାରି ବଢିଆ***

0 0

ଓଡ଼ିଆ ଜାତି ଓଡ଼ିଆ ମାଟି ଭାରି ବଢିଆ
କଳା ଭାସ୍କର୍ଯ୍ୟ କୀର୍ତ୍ତି ଆଶ୍ଚର୍ଯ୍ୟ ହୋଇଛି ଠିଆ ।
କୋଣାର୍କ ଦେଖ ହରିବ ଦୁଃଖ କାରୁକାର୍ଯ୍ୟରେ ଭରା
ଶ୍ରୀଜଗନ୍ନାଥ ମନ୍ଦିର କାହିଁ ଜଗତେ ଶ୍ରେଷ୍ଠ ପରା ।
ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥ ବଡ ଠାକୁର ଆମ
ପାପ ହରନ୍ତି ଯିଏ ଡାକନ୍ତି ଧରିଣ ପ୍ରଭୁ ନାମ ।
ମନ୍ଦିର ମାଳା ଓଡ଼ିଶା ଆମ ପବିତ୍ର ମାଟି ଏହି
ସାଗର ଯା’ର ଚରଣ ଧୁଏ ଉଲ୍ଲାସ ଚିତ୍ତ ବହି ।
ସବୁଜ କ୍ଷେତେ ଧାନ ଫସଲ ଫଳାଏ ଚାଷୀ ଭାଇ
ପଖାଳ ଭାତ ଓଡ଼ିଆ ଖାଦ୍ୟ ସବୁଠି ଚର୍ଚ୍ଚା ଥାଇ ।
ଶାନ୍ତ ଶୀତଳ ଗିରି କାନନ ଝରଣା ଗୀତ ଗାଏ
ବସନ୍ତ ଏଠି ଫୁଲର ବାସେ ବିଷାଦ ହରୁ ଥାଏ।
ବାର ମାସରେ ତେର ପରବ ପାଳନ ହୁଏ ଏଠି
ପ୍ରଭାତେ ଶୋଭା ଦାଣ୍ଡ ଦୁଆରେ ଚିତ୍ର ବିଚିତ୍ର ଝୋଟି ।
ହୁଳହୁଳିରେ ପ୍ରକମ୍ପେ ସନ୍ଧ୍ୟା ଚଉରା ମୂଳେ ଦୀପ
ନବ ବଧୂର ଭକତି ଚିତ୍ତେ ହରେ ସକଳ ପାପ ।
ଉର୍ବର ମାଟି ଶସ୍ୟ ଶ୍ଯାମଳା ଗିରି କାନନ ଶୋଭା
ଚିଲିକା ଆମ ପକ୍ଷୀ ବିହାର ନବ ଊନ୍ମେଷ ଅବା ।
ନଦ ନଦୀର ପ୍ରଦେଶ ଆମ ପ୍ରକୃତି ଅନୁପମ
ବୀର ପୁଙ୍ଗବ ଓଡ଼ିଆ ଜାତି ଯୁଦ୍ଧେ ସୁନାମ ଆମ ।
ପାଇକ ପୁଅ ଆମର ଯୋଦ୍ଧା ହସ୍ତରେ ଧରି ଅସି
କରିଛି ଯୁଦ୍ଧ ଫିରିଙ୍ଗି ସାଥେ ନଡରି ତିଳେ ଫାଶୀ ।
ଏ ମାଟି ଆମ ଜନ୍ମ ଭୂଇଁ ମହତ ଆମ କର୍ମ
ଓଡ଼ିଆ ଜାତି ସ୍ବାଭିମାନରେ ଜୀଇଁବା ଆମ ଧର୍ମ ।

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ ମାଲକାନଗିରି)

Leave A Reply

Your email address will not be published.