ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ୪୮ ତମ ପ୍ରତିଷ୍ଠା ଦିବସ ପାଳିତ।

0 176

ପୋଲସରା,୧୬/୦୮ (ପିପିଟି): ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ. ଭଗବାନ ତ୍ରିପାଠୀଙ୍କ ସଭାପତିତ୍ବ ରେ ୪୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂଜ୍ୟ ପୂଜା ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି, ଓଡ଼ିଶା ହାଇକୋର୍ଟର ଆଇନଜୀବି ତଥା ଇଂରାଜୀ ଭାଷା ସାହିତ୍ୟର ପ୍ରବୀଣ ବ୍ୟକ୍ତିତ୍ବ ଡ଼ଃ ଜ୍ୟୋତିର୍ମୟ ପଟ୍ଟନାୟକ ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକ ନିଜ ବକ୍ତବ୍ୟରେ ମହାବିଦ୍ୟାଳୟ ସ୍ଥାପନ ଚିନ୍ତାର ମଞ୍ଜି କିଭଳି କଳମ୍ବ ଅଞ୍ଚଳର କାଳୁ ମିସ୍ତ୍ରୀ ନାମକ ଜଣେ ବ୍ୟକ୍ତି ପକାଇଥିଲେ ସେ ସମ୍ପର୍କରେ ସୂଚନା ଦେଇଥିଲେ, ଯାହାକି ବହୁଲୋକଙ୍କ ଅଜ୍ଞାତରେ ରହିଯାଇଛି । ୧୯୭୮ ମସିହା ପୋଲସରା ଗୌରିଆମା ଯାତ୍ରା ପରେ ସେହି କାଳୁ ବାବୁ ଯାତ୍ରା କମିଟିର ସଭାପତି ତଥା ଅଞ୍ଚଳର ବରିଷ୍ଠ ଶିକ୍ଷାବିତ୍ କୋଦଣ୍ଡପାଣି ପଟ୍ଟନାୟକ(କୋଦଣ୍ଡ ମାଷ୍ଟ୍ରେ)ଙ୍କୁ ଭେଟି କହିଥିଲେ ଯେ ଯାତ୍ରାରେ ଏତେ ପଇସା ଖର୍ଚ୍ଚ କରୁଛନ୍ତି, ପୋଲସରାରେ କଲେଜଟିଏ ସ୍ଥାପନ ପାଇଁ କାହିଁକି ଚେଷ୍ଟା କରୁନାହାନ୍ତି ।ଏହି କଥାଟି କୋଦଣ୍ଡ ମାଷ୍ଟ୍ରଙ୍କ ମନକୁ ଛୁଇଁଯାଇଥିଲା।ଏହା ପରେ କୋଦଣ୍ଡ ମାଷ୍ଟ୍ରେ ପୋଲସରାର ଅନ୍ୟତମ ଲୋକପ୍ରିୟ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ଦାସଙ୍କୁ ସାଥିରେ ନେଇ କଲେଜ ସ୍ଥାପନର ରୂପରେଖ ପ୍ରସ୍ତୁତି କରିଥିଲେ। କୋଦଣ୍ଡ ମାଷ୍ଟ୍ରଙ୍କ ଘର ଆଗରେ ଥିବା ବଜାର ସାହି ଚହୁଁରା ଉପରେ ପୋଲସରାର ମାନ୍ୟଗଣ୍ୟବ୍ୟକ୍ତିଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଭିନ୍ନ ବ୍ୟକ୍ତି କିଏ କେତେ ଅର୍ଥ କଲେଜ ଲାଗି ଦେବେ ତାହା ଘୋଷଣା କରିଥିଲେ । ରୂପରେଖ ମୁତାବକ ୧୯୭୯ ମସିହା ଅଗଷ୍ଟ ୧୫ ତାରିଖ ଦିନ ପୋଲସରା ବେଦ ମନ୍ଦିରରେ କଲେଜ ଉଦ୍ଘାଟିତ ହୋଇଥିଲା। ଏହା ପରେ ମୁଖ୍ୟ ଅତିଥି ପଟ୍ଟନାୟକ ସେ ନିଜେ କିଭଳି ଅନ୍ୟ ସ୍କୁଲ୍ ପିଲାଙ୍କ ସହ ମିଶି “ପୋଲସରାରେ କଲେଜ୍ ହେଲେ ପଖାଳ ଖାଇ ପଢ଼ିବେ ପିଲେ” ସ୍ଲୋଗାନ ଦେଇ ଗାଁ ପରିକ୍ରମା କରୁଥିଲେ ତାହା କହିଥିଲେ । ଏତଦ୍ ବ୍ୟତୀତ କାଠ ମେଣ୍ଟୁରେ କାଠ ବିକିବା, ଜଗନ୍ନାଥ ରଙ୍ଗମଞ୍ଚରେ ଅସ୍ଥାୟୀ ଚଳଚ୍ଚିତ୍ର ପ୍ରଦର୍ଶନରେ ଟିକଟ ବିକିବା, ରଜ ସଂକ୍ରାନ୍ତି ବେଳେ ମା ସିଂହାସନି ପୀଠକୁ ଯାଉଥିବା ଟ୍ରକ ଓ ବସରୁ ଟଙ୍କାଏ ଲେଖାଏଁ ଆଦାୟ କରିବା ଭଳି କଲେଜ୍ ଲାଗି ଅର୍ଥ ଆଦାୟ କାର୍ଯ୍ୟରେ ସେ ନିଜେ ଓ ତାଙ୍କର ସ୍କୁଲ୍ ସାଙ୍ଗସାଥୀ କିଭଳି ଗୁଣ୍ଡୁଚି ମୂଷା ଭଳି ଯୋଗଦାନ ଦେଇଥିଲେ ତାହାର ଅବତାରଣା କରିଥିଲେ।ଏହି ସବୁ କାର୍ଯ୍ୟ ପଛରେ କୋଦଣ୍ଡ ମାଷ୍ଟ୍ରେ ଓ ରମେଶ ମାଷ୍ଟ୍ରେଙ୍କ ପ୍ରେରଣା ରହିଥିଲା । ଏହା ବ୍ୟତୀତ ପୋଲସରା କଲେଜରେ ପ୍ରଥମ କରି ୧୯୮୩ ମସିହାରେ ଖୋଲିଥିବା ବିଜ୍ଞାନ ବିଭାଗରେ ନାମଲେଖାଇବା ପରେ ଆଫିଲିଏସନ ନ ମିଳିବା ହେତୁ ତାଙ୍କର ଓ ତାଙ୍କ ସହ ନମଲେଖାଇଥିବା ଅନେକ ଛାତ୍ରଛାତ୍ରୀଙ୍କ କ୍ୟାରିୟରରୁ ବର୍ଷେ ଦୁଇ ବର୍ଷ ନଷ୍ଟ ହୋଇଯାଇଥିଲା ତାହା ସୂଚାଇଥିଲେ ।ତେବେ ସେ କହିଥିଲେ ଯେ ୪୦ ବର୍ଷ ପରେ ପଛକୁ ଫେରି ଚାହିଁ ସେ କିମ୍ବା ତାଙ୍କର କୌଣସି ସାଙ୍ଗସାଥୀ ଦୁଃଖିତ ନୁହଁନ୍ତି ବରଂ ଏହାକୁ ସେମାନେ କଲେଜ୍ ଲାଗି ନିଜ ଯୋଗଦାନ ବୋଲି ବିବେଚନା କରୁଛନ୍ତି । ଏହା ପରେ ସେ କଲେଜ୍ ସ୍ଥାପନର ବିଭିନ୍ନ ଉଦ୍ୟୋକ୍ତା, ପ୍ରଥମେ ଅଧ୍ୟାପକ ଭାବେ ଯୋଗ ଦେଇଥିବା ବିଭିନ୍ନ ବ୍ୟକ୍ତିଙ୍କ ନାମ ପ୍ରକାଶ କରିବା ସହ କଲେଜ୍ କୋଣାର୍କର ଧରମା ଭାବେ ସ୍ୱର୍ଗତ କାହ୍ନୁ ଚରଣ ନାୟକ ଙ୍କୁ ଅଭିହିତ କରି ତାଙ୍କର ସ୍ମୃତିଚାରଣ କରିଥିଲେ ।ମହାବିଦ୍ୟାଳୟର ସଂଘର୍ଷ ପୂର୍ଣ୍ଣ ଯାତ୍ରାର ଏହା ଏକ ଛୋଟିଆ ବିବରଣୀ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବରେ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ରୁଦ୍ର ପ୍ରସାଦ ଗୌଡ଼, ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ମନୋଜ କୁମାର ସାହୁ,ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ପ୍ରତିଷ୍ଠା ଦିବସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ଡ଼ଃ ବିରଞ୍ଚି ନାରାୟଣ ରଥ, ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପିକା ଲେଫ୍ଟନାଣ୍ଟ ବିନତା କୁମାରୀ ଦାଶ, ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ଦେବାଶିଷ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ମହତ୍ତ୍ୱ ସମ୍ପର୍କରେ ଦିଗଦର୍ଶନ ପ୍ରଦାନ କରିଥିଲେ । ପ୍ରତିଷ୍ଠା ଦିବସ ଅବକାଶରେ ସଂଗୀତ, ଏକକ ନୃତ୍ୟ, ତର୍କ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଙ୍କ ସହ ବେଷ୍ଟ NCC କ୍ୟାଡେଟ ଓ NSS ସ୍ବେଚ୍ଛାସେବୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଯୋଜନା ଦାୟିତ୍ୱ ଅଧ୍ୟାପକ ଦେବାଶିଷ ସ୍ୱାଇଁ ନିର୍ବାହ କରିଥିବା ବେଳେ ଅଧ୍ୟାପକ ସେକ ଫରିଦ, ଡ଼ଃ ହରିଶ୍ଚନ୍ଦ୍ର ପାଇକ, ବସନ୍ତ କୁମାର ପାଣି, ମିଡ଼ିଆ ସଂଯୋଜିକା ପିଙ୍କି ପ୍ରଧାନ ପ୍ରମୁଖ ବିଚାରକ ଦାୟିତ୍ୱ ତୁଲାଇବା ସହ ବିଶେଷ ସହଯୋଗ କରିଥିଲେ।ଶେଷରେ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.