ଯାଜପୁର ଜିଲ୍ଲାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ।

0 195

ଯାଜପୁର, ୧୩୦୮(ପିପିଟି): ସ୍ୱାଧୀନତା ଦିବସ ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆୟୋଜିତ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ପରିପ୍ରେକ୍ଷୀରେ ଆଜି ଯାଜପୁର ଜିଲ୍ଲାରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଅଗଷ୍ଟ ୯ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଏହି ଅଭିଯାନ ପାଳନ କରାଯାଉଛି।

ଯାଜପୁର ସହରସ୍ଥିତ ମାନସାପୋଲ ଶ୍ରୀରାମ ମନ୍ଦିର ନିକଟରୁ ପୂର୍ବାହ୍ନରେ ଏହି ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ ହୋଇଥିଲା। ମାନ୍ୟବର ସମବାୟ, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ, ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦେବୀପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ସମାଜସେବୀ ଶ୍ରୀ ଗୌତମ ରାୟ, ଶ୍ରୀମତୀ ଦେବଯାନୀ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ।

ତ୍ରିରଙ୍ଗା ଯାତ୍ରା ମାନସାପୋଲ ଶ୍ରୀରାମ ମନ୍ଦିର ନିକଟରୁ ବାହାରି ରେଡକ୍ରସ ଛକ ଓ ମେଡିକାଲ ଛକ, ଗାନ୍ଧିଛକ ଦେଇ ସଂସ୍କୃତି ଭବନ ଠାରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରା ଅବସରରେ ଗାନ୍ଧୀ ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଏବଂ ସଂସ୍କୃତି ଭବନ ପରିସରରେ ଥିବା ଡଃ ବାବା ସାହେବ ଆମ୍ବେଦକରଙ୍କ ସମେତ ସେଠାରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ବିଶାଳ ତ୍ରିରଙ୍ଗା ଯାତ୍ରାରେ ତିନି ହଜାରରୁ ଊର୍ଦ୍ଧ୍ୱ ଜିଲ୍ଲାବାସୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଏନସିସି, ଏନଏସଏସ, ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀ, ସିଭିଲ ସୋସାଇଟିର ସଦସ୍ୟ, ମହିଳା ଓ ସାଧାରଣ ଜନତା ତ୍ରିରଙ୍ଗା ଧରି ଦେଶଭକ୍ତିର ଭାବନାରେ ଯାତ୍ରାରେ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀ ରେ ଅବସରପ୍ରାପ୍ତ ସୈନିକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ କହିଥିଲେ ଯେ, ପ୍ରଭୁ ଶ୍ରୀରାମଙ୍କ ପୁଣ୍ୟପୀଠରୁ ଆଜିର ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇଛି। ଦେଶର ସ୍ୱାଧୀନତା ପାଇଁ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷ ଓ ଆତ୍ମବଳିଦାନକୁ ସ୍ମରଣ କରି ଆମେ ଜାତୀୟ ପତାକା ତ୍ରିରଙ୍ଗାକୁ ସମ୍ମାନ ଦେବା ଆବଶ୍ୟକ। ତ୍ରିରଙ୍ଗା ଆମ ଦେଶର ଗର୍ବ, ଗୌରବ ର ପରିଚୟ ଓ ସମ୍ମାନର ପ୍ରତୀକ। ତେଣୁ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ାଇ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ପ୍ରସାର କରିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ଶୋଭାଯାତ୍ରାରେ ଯୋଗଦେଇ ମାନ୍ୟବର ବିଧାୟକ, କୋରେଇ ଶ୍ରୀ ଆକାଶ ଦାସନାୟକ ଓ ମାନ୍ୟବର ବିଧାୟକ, ଧର୍ମଶାଳା ଶ୍ରୀ ହିମାଂଶୁ ଶେଖର ସାହୁ କହିଲେ ଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଙ୍କ ଏହି ଦେଶ ପ୍ରେମର ନାରା ଅତ୍ୟନ୍ତ ପ୍ରଶଂସନୀୟ ଏବଂ ଆମେ ସମସ୍ତେ ଘରେ ଘରେ ତ୍ରିରଙ୍ଗା ଉଡ଼ାଇ ଆମ ଜାତୀୟ ପତାକା କୁ ସମ୍ମାନ ଦେବା । ଦେଶବ୍ୟାପୀ ହର ଘର ତ୍ରିରଙ୍ଗା ଅଭିଯାନ ଚାଲିଥିବାବେଳେ ଜିଲ୍ଲାବାସୀ ଏହି ଅଭିଯାନରେ ସାମିଲ ହୋଇ ଅଗଷ୍ଟ ୯ ରୁ ୧୭ ନିଜ ନିଜ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା, ତ୍ରିରଙ୍ଗା ସହ ସେଲ୍ଫି ନେଇ www.harghartiranga.com ରେ ଅପଲୋଡ଼ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜିଲ୍ଲାବାସୀଙ୍କୁ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ଦେବା ସହ ସଚେତନ ନାଗରିକ ଭାବେ ଜାତୀୟ ପତାକା ତ୍ରିରଙ୍ଗା ପ୍ରତି ସର୍ବଦା ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଥିବା ସେ କହିଥିଲେ।

ଏହି ଅବସରରେ ‘ହର ଘର ତ୍ରିରଙ୍ଗା ରଥ’ର ଶୁଭାରମ୍ଭ କରାଯାଇଥିଲା। ଦେଶଭକ୍ତିର ସଙ୍ଗୀତ ସହ ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଜନସାଧାରଣଙ୍କୁ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବା ଏବଂ ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବା ପାଇଁ ସଚେତନ କରିବ।

କାର୍ଯ୍ୟକ୍ରମରେ ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ରଞ୍ଜୁଲତା ହୋତା, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ଶିକ୍ଷା ଅଧିକାରୀ  ମହେଶ୍ଵର ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡୁ, ଡିପିସି, ମିଶନ ଶକ୍ତି, ଯାଜପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ  ସୋନାଲି ବେହେରା, ଟାଉନ ଥାନା ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।

ସମଗ୍ର କାର୍ଯ୍ୟକ୍ରମ ଦେଶଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଥିବାବେଳେ ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଜିଲ୍ଲାବାସୀଙ୍କ ମଧ୍ୟରେ ଦେଶପ୍ରେମ, ଜାତୀୟ ଏକତା ଓ ଜାତୀୟ ପତାକା ପ୍ରତି ସମ୍ମାନର ଭାବନା ଅଧିକ ସୁଦୃଢ଼ ହୋଇଥିଲା।

Leave A Reply

Your email address will not be published.