ମାଲକାନଗିରିରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ।

0 193

ମାଲକାନଗିରି,୧୩/୦୮(ପିପିଟି):ଦେଶବ୍ୟାପୀ ପାଳିତ ହେଉଥିବା ଜାତୀୟ କାର୍ଯ୍ୟକ୍ରମ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅବସରରେ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଏକ ଅଦ୍ଭୁତପୂର୍ବ ତଥା ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମସଳ ଠାରୁ ସ୍ପୋର୍ଟସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଆୟୋଜିତ ଏହି ମେଗା ରାଲିରେ ହଜାର ହଜାର ଦେଶପ୍ରେମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ଅଂଶ ଗ୍ରହଣ କରି ନିଜର ଅନାବିଳ ଦେଶାତ୍ମବୋଧର ପରିଚୟ ଦେଇଛନ୍ତି। ଏହି ଅଭିଯାନକୁ ଅଧିକ ଆକର୍ଷଣୀୟ ଓ ଶକ୍ତିଶାଳୀ କରିବା ପାଇଁ ସୀମା ସୁରକ୍ଷା ବଳ ପକ୍ଷରୁ ଏକ ଭବ୍ୟ ଏବଂ ସ୍ୱତନ୍ତ୍ର ତ୍ରିରଙ୍ଗା ବାଇକ୍ ରାଲିର ଆୟୋଜନ କରାଯାଇଥିଲା। ହାତରେ ଜାତୀୟ ପତାକା ଧରି ବିଏସଏଫ୍ ଯବାନମାନେ ସେମାନଙ୍କ ବୁଲେଟ୍ ଓ ମୋଟରସାଇକେଲ୍ ସାହାଯ୍ୟରେ ଦେଶାତ୍ମବୋଧର ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଦେଶ ମାତୃକାର ସୁରକ୍ଷା କରୁଥିବା ବୀର ଯବାନମାନଙ୍କର ଏହି ଶୃଙ୍ଖଳିତ ବାଇକ୍ ରାଲି ସର୍ବସାଧାରଣଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଏବଂ ଦେଶପ୍ରେମର ଉନ୍ମାଦନା ଭରିଦେଇଥିଲା। ଏହା ସହିତ କାର୍ଯ୍ୟକ୍ରମରେ ଜିଲ୍ଲାର ପାରମ୍ପରିକ ଲୋକକଳାର ଏକ ସୁନ୍ଦର ଝଲକ ଦେଖିବାକୁ ମିଳିଥିଲା। ଆଦିବାସୀ ନୃତ୍ୟ, ଗୀତ ଓ ସାନ୍ତାଳୀ ଢୋଲର ତାଳେ ତାଳେ ସମଗ୍ର ମାଲକାନଗିରି ସହର ଆଜି ପ୍ରକମ୍ପିତ ହୋଇଉଠିଥିଲା। ସ୍ଥାନୀୟ କଳାକାରମାନଙ୍କ ପାରମ୍ପରିକ ନୃତ୍ୟ ଏବଂ ଜାତୀୟ ପତାକା ଧରି ଜନସାଧାରଣଙ୍କ ଦେଶ ଭକ୍ତିର ସ୍ଲୋଗାନ ସଂପୂର୍ଣ୍ଣ ପରିବେଶକୁ ଉତ୍ସବମୁଖତ କରିଥିଲା।ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଏବଂ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀମାନେ ଏହି ପଦଯାତ୍ରାରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହଳଧର ଶବର ଏବଂ
ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସର୍ବସାଧାରଣଙ୍କ ଉତ୍ସାହ ବଢ଼ାଇଥିଲେ। ଜାତୀୟ ସଙ୍ଗୀତ ଏବଂ ସ୍ଲୋଗାନ ମଧ୍ୟରେ ଏହି ବିଶାଳ କାର୍ଯ୍ୟକ୍ରମ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ପହଞ୍ଚିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.