କୋଦଳା ,୧୧/୦୮(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ତିରିଡା ଠାରେ ଚାଲିଥିବା ମନରେଗା ରାସ୍ତା କାମରେ ଦୁର୍ନୀତି ଅଭିଯୋଗ। ଗ୍ରାମର ନୂଆଁ ସାହି ଠାରୁ ବସନ୍ତବଣ ପର୍ଯ୍ୟନ୍ତ ମନରେଗା ରାସ୍ତା ତିଆରି ଚାଲିଥିବା ବେଳେ ଏଥିରେ ବ୍ଯାପକ ଅନିୟମିତତା ଅଭିଯୋଗ ହୋଇଛି। କାର୍ଯ୍ୟକୁ ଗାଁର କିଛି ଠିକାଦାର ପରିଚାଳନା କରୁଛନ୍ତି ଏବଂ କିଛି ଶ୍ରମିକଙ୍କ କେବଳ ଫଟୋ ଉଠାଇ ସେମାନଙ୍କୁ ୧୦୦ ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି। ମାତ୍ର ୫ ଜଣ ଶ୍ରମିକ କାମ କରି ୩୦ ରୁ ଉର୍ଦ୍ଧ୍ବ ଶ୍ରମିକଙ୍କ ନାମରେ ଫଟୋ ଓ ଉପସ୍ଥାନ ଦର୍ଶାଇ ସରକାରୀ ଅର୍ଥ ଲୁଟ୍ କରାଯାଉଥିବା ନେଇ ଗ୍ରାମର ପୂର୍ବତନ ସଭାପତି ବିଜୟ ବେହେରା ଅଭିଯୋଗ କରି ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏପରିକି ବିଜୟ ବେହେରାଙ୍କ ପଟ୍ଟା ଜମିରେ ଥିବା ଗଛ କାଟି ଦେଇ ଜମିର ହୁଡା କୁ ହାଣି ରାସ୍ତା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ବିଡ଼ିଓଙ୍କୁ ଏନେଇ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ସେପଟେ ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସୂଚନା ଅନୁଯାୟୀ ମନରେଗା ଯୋଜନାରେ ଏବେ ବିଭିନ୍ନ ସ୍ଥାନରେ ଦୁର୍ନୀତି ହେଉଥିବା ଅଭିଯୋଗ ଆସୁଛି। ଶ୍ରମିକଙ୍କ ଫଟୋ ଉଠାଇ ବିଲ୍ କରାଯାଉଥିବା ବେଳେ ମନରେଗା କାର୍ଯ୍ଯ ଗ୍ରାମାଞ୍ଚଳରେ ଠିକାଦାରୀ ପ୍ରଥା ସୃଷ୍ଟି କରି ଲୋକଙ୍କୁ ରୋଜଗାର ଦେବା ପରିବର୍ତ୍ତେ କାମ ନହୋଇ ମିଥ୍ଯା ବିଲ୍ ହେଉଥବା ଅଭିଯୋଗ ଆସୁଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଭିନ୍ନ ସମୟରେ କାର୍ଯ୍ଯ ହେଉଥିବା ସ୍ଥାନକୁ ଯାଇ ତଦନ୍ତ କରିବା ଆବଶ୍ୟକ ହୋଇ ପଡିଛି।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ