ଜାତୀୟ ଗରିମା ଦିବସ ପୂର୍ବରୁ ଓଡ଼ିଶାରେ ୧୫ ଦିନିଆ ରାଜ୍ୟବ୍ୟାପୀ ‘ଆଇନଗତ ସଫେଇ, ସୁରକ୍ଷିତ ସଫେଇ’ ଅଭିଯାନ ।
ଭୁବନେଶ୍ୱର,୦୮/୦୮(ପିପିଟି):ସ୍ୱଚ୍ଛତା କର୍ମଚାରୀଙ୍କ ମର୍ଯ୍ୟାଦା, ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌରାଞ୍ଚଳରେ ୧୫ ଦିନିଆ ରାଜ୍ୟବ୍ୟାପୀ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ‘ଆଇନଗତ ସଫେଇ, ସୁରକ୍ଷିତ ସଫେଇ’ ଆରମ୍ଭ ହୋଇଛି । ଅଗଷ୍ଟ ୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଅଗଷ୍ଟ ୨୨ ତାରିଖରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ ହେବାକୁ ଥିବା ଜାତୀୟ ଗରିମା ସମ୍ମିଳନୀ ପୂର୍ବରୁ ଏକ ବ୍ୟାପକ ଜନସଚେତନତା ପଦକ୍ଷେପ ।
ଗରିମା ଯୋଜନାର ମୂଳ ଉଦ୍ଦେଶ୍ୟ ସହ ସମନ୍ୱିତ ଏହି ଅଭିଯାନରେ ବିପଜ୍ଜନକ ମାନୁଆଲ୍ ସଫେଇକୁ ଦୂର କରିବା ସହ ସେପ୍ଟିକ୍ ଟ୍ୟାଙ୍କ ଓ ସ୍ୱେରେଜ୍ ସଫେଇକୁ ଆଇନସମ୍ମତ, ସୁରକ୍ଷିତ ଓ ଯାନ୍ତ୍ରିକ ପ୍ରଣାଳୀରେ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ପୌରାଞ୍ଚଳ ଗୁଡ଼ିକ ପକ୍ଷରୁ ବେଆଇନ କିମ୍ବା ପଞ୍ଜୀକରଣ ହୋଇନଥିବା ସେସ୍ପୁଲ୍ ଯାନ ଚିହ୍ନଟ କରି ଆଇନ ଅନୁଯାୟୀ ପଦକ୍ଷେପ ନେବା ସହ ସେଗୁଡ଼ିକର ବିଧିବଦ୍ଧ ପଞ୍ଜୀକରଣ ପାଇଁ ପଦକ୍ଷେପ ନିଆଯାଉଛି ।
ନାଗରିକ, ହୋଟେଲ, ହସ୍ପିଟାଲ ଓ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ସେପ୍ଟିକ୍ ଟ୍ୟାଙ୍କ ଓ ସ୍ୱେରେଜ୍ ସଫେଇ ପାଇଁ କେବଳ ୟୁ ଏଲ୍ ବି ମାଧ୍ୟମରେ ସେବା ନେବାକୁ ସଚେତନ କରାଯାଉଛି । ଏଥିପାଇଁ ଟୋଲ୍-ଫ୍ରି ହେଲ୍ପଲାଇନ୍ ୧୪୪୨୦ କିମ୍ବା ULB ଦ୍ୱାରା ପଞ୍ଜୀକୃତ “ବେସରକାରୀ ସେବା ପ୍ରଦାନକାରୀ ସଂଗଠନ (PSSO)”ର ସେବା ନେବାକୁ ପରାମର୍ଶ ଦିଆଯାଉଛି । ବିପଜ୍ଜନକ ସଫେଇରେ ମାନବୀୟ ସଂସ୍ପର୍ଶକୁ ରୋକିବା ପାଇଁ ଜରୁରୀକାଳୀନ ସ୍ୱଚ୍ଛତା ପ୍ରତିକ୍ରିୟା ୟୁନିଟ୍ , ଯାନ୍ତ୍ରିକ ସଫେଇ ଉପକରଣ ଓ ପିପିଇ ବ୍ୟବହାରକୁ ପ୍ରାଥମିକତା ଦିଆଯାଉଛି ।
ଅଭିଯାନର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ୟୁଏଲବି ଗୁଡିକୁ ଆବଶ୍ୟକ ଆର୍ଥ ପ୍ରଦାନ କରାଯାଇଛି ।
ଅଭିଯାନରେ ସ୍ୱଚ୍ଛ ସାଥୀ ଓ ୱାର୍ଡ ଅଧିକାରୀଙ୍କ ଘରକୁ ଘର ସଚେତନତା, ୧୪୪୨୦ ହେଲ୍ପଲାଇନ୍ ସମ୍ବଳିତ ୱାଲ୍ ଷ୍ଟିକର୍ ବଣ୍ଟନ, ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଯାନ ମାଧ୍ୟମରେ ଅଡିଓ ପ୍ରଚାର, ହୋର୍ଡିଂ ଓ କାନ୍ଥ ଚିତ୍ର, PSSOମାନଙ୍କ ସଚେତନତା ବୈଠକ, ଗରିମା ବ୍ରାଣ୍ଡିଂ, ସାମାଜିକ ଗଣମାଧ୍ୟମରେ CSWମାନଙ୍କ ବାର୍ତ୍ତା, କମ୍ୟୁନିଟି ରେଡିଓ, ଯୁବ ସଚେତନତା ରାଲି ଓ ୱାର୍ଡସ୍ତରୀୟ ଶପଥ ଗ୍ରହଣ ଆଦି କାର୍ଯ୍ୟକ୍ରମ ସାମିଲ ରହିଛି ।
ଅଭିଯାନର ଶେଷ ପର୍ଯ୍ୟାୟରେ ସମସ୍ତ ପୌରାଞ୍ଚଳରେ କୋର୍ ସାନିଟେସନ୍ ୱର୍କର୍ସଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ସେମାନଙ୍କ ସନ୍ତାନଙ୍କ ପାଇଁ ଛାତ୍ରବୃତ୍ତି ବଣ୍ଟନ, ବଡ଼ଖାନା ଏବଂ ସ୍ୱଚ୍ଛତା କର୍ମଚାରୀ ଓ ସେବା ପ୍ରଦାନକାରୀଙ୍କ ସମ୍ମାନ ଆଦି କାର୍ଯ୍ୟକ୍ରମ ହେବ ।
ଅଗଷ୍ଟ ୨୧ ତାରିଖରେ ଅଭିଯାନ ସମାପ୍ତ ହେବା ପରେ ଅଗଷ୍ଟ ୨୨ ତାରିଖରେ ଭୁବନେଶ୍ୱରଠାରେ ଜାତୀୟ ଗରିମା ସମ୍ମିଳନୀ ଆୟୋଜିତ ହେବ । ଏଥିରେ ଜାତୀୟସ୍ତରର ନୀତି ବିଶେଷଜ୍ଞ, ସରକାରୀ ପଦାଧିକାରୀ, ପୌର ସଂସ୍ଥାର ପ୍ରତିନିଧି ଓ କୋର୍ ସାନିଟେସନ୍ ୱର୍କର୍ସ ଯୋଗଦେଇ ଯାନ୍ତ୍ରିକୀକରଣ, ପ୍ରଯୁକ୍ତିଭିତ୍ତିକ ସୁରକ୍ଷିତ ସଫେଇ ଏବଂ ସ୍ୱଚ୍ଛତା କର୍ମଚାରୀଙ୍କ ଦୀର୍ଘମିଆଦୀ ସାମାଜିକ ସୁରକ୍ଷା ନେଇ ଆଲୋଚନା କରିବେ ।
‘ଆଇନଗତ ସଫେଇ, ସୁରକ୍ଷିତ ସଫେଇ’ ଅଭିଯାନ ମାଧ୍ୟମରେ ଓଡ଼ିଶାର ସ୍ପଷ୍ଟ ବାର୍ତ୍ତା—ସଫେଇ କାର୍ଯ୍ୟ ଆଇନସମ୍ମତ, ସୁରକ୍ଷିତ ଓ ମର୍ଯ୍ୟାଦାପୂର୍ଣ୍ଣ ହେବ । ଆବଶ୍ୟକ। କୌଣସି ସ୍ୱଚ୍ଛତା କର୍ମଚାରୀଙ୍କୁ ବିପଜ୍ଜନକ ସଫେଇ କାର୍ଯ୍ୟ ହାତରେ କରିବାକୁ ପଡ଼ିବ ନାହିଁ ।