ଜିଲ୍ଲା ପ୍ରଶାସନ ତରଫରୁ ଜନଜାତି ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ କମ୍ପ୍ୟୁଟର ଶିକ୍ଷା ।

0 3

ମାଲକାନଗିରି, ୦୪/୦୮(ପିପିଟି):ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କର ବୈଷୟିକ ବିକାଶ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଓ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ସମସ୍ତ ଏସଏସଡି ହାଇସ୍କୁଲ ସମେତ କେଏମଆରଏସ , ବାଲିମେଳା ଠାରେ ଆନୁଷ୍ଠାନିକ ଭାବେ ଅନଲାଇନ୍ କମ୍ପ୍ୟୁଟର କୋଚିଂ କ୍ଲାସ ଆରମ୍ଭ କରାଯାଇଛି । ଆଜି ପ୍ରଥମ ଦିନରେ ସରକାରୀ ଏସଏସଡି ଜିଏଚଏସ ଚିତ୍ରକୋଣ୍ଡା, ପି.ଏମ.ଶ୍ରୀ ସରକାରୀ ଏସଏସଡି ହାଇସ୍କୁଲ ପଣସପୁଟ ଏବଂ ଜିଜିଏଚଏସ ନନ୍ଦିନୀଗୁଡ଼ାର ଶତାଧିକ ଛାତ୍ରଛାତ୍ରୀ ଏହି ଅନଲାଇନ୍ କମ୍ପ୍ୟୁଟର କ୍ଲାସରେ ଉତ୍ସାହର ସହ ଯୋଗ ଦେଇଛନ୍ତି। ମହାରାଷ୍ଟ୍ରର ଆଇଟି ଇଞ୍ଜିନିୟର ଭାଗ୍ୟଶ୍ରୀ ଯାଦବ ମୁଖ୍ୟ ପ୍ରଶିକ୍ଷିକା ଭାବେ ଯୋଡ଼ି ହୋଇ ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରୁଛନ୍ତି। ଏହି ସ୍ୱତନ୍ତ୍ର କମ୍ପ୍ୟୁଟର କୋଚିଂ କ୍ଲାସ ପ୍ରତି ମଙ୍ଗଳବାର ଏବଂ ଶୁକ୍ରବାର ଅପରାହ୍ନ ୩ଟାରୁ ୪ଟା ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଦୁର୍ଗମ ଅଞ୍ଚଳରେ ରହୁଥିବା ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ୍ ଦୁନିଆ ସହ ଯୋଡ଼ିବା ଏବଂ ସେମାନଙ୍କର ସର୍ବାଙ୍ଗୀନ ବିକାଶ କରିବା। ଏହି ଅନଲାଇନ୍ କ୍ଲାସର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ଏବଂ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହଳଧର ଶବର ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସେମାନଙ୍କ ଉପସ୍ଥିତି ପ୍ରମାଣ କରୁଛି ଯେ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳର ପିଲାମାନଙ୍କ ଭବିଷ୍ୟତ ଗଠନ ପାଇଁ କେତେ ଆଗ୍ରହୀ।
ଏହି ଅଭିନବ ଯୋଜନା ସମ୍ପର୍କରେ ମାଲକାନଗିରି ଜିଲ୍ଲାପାଳ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ହେଉଛି ସମସ୍ତଙ୍କୁ ସମାନ ସୁଯୋଗ ଦେବାର ସବୁଠାରୁ ବଡ଼ ମାଧ୍ୟମ। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ରହୁଥିବା ଆମର ଜନଜାତି ଛାତ୍ରଛାତ୍ରୀମାନେ ଯେପରି ସହରର ପିଲାମାନଙ୍କ ଭଳି ସମାନ ଡିଜିଟାଲ୍ ସୁଯୋଗ ପାଇପାରିବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଏହି କମ୍ପ୍ୟୁଟର ଶିକ୍ଷା କେବଳ ଏକ କ୍ଲାସ ନୁହେଁ, ବରଂ ଆମ ପିଲାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ବିଶ୍ୱ ସ୍ତରରେ ସେମାନଙ୍କୁ ଆଗକୁ ବଢ଼ାଇବା ପାଇଁ ଏକ ବଡ଼ ମାଧ୍ୟମ। ଜିଲ୍ଲାର ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଆଧୁନିକ ଶିକ୍ଷା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନର ଏହି ଉଦ୍ୟମକୁ ସ୍ଥାନୀୟ ଅଭିଭାବକ ଓ ବୁଦ୍ଧିଜୀବୀମାନେ ବେଶ୍ ପ୍ରଶଂସା କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.