ରାଷ୍ଟ୍ରପତିଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ।

0 261

ବ୍ରହ୍ମପୁର,୦୨/୦୮(ପିପିଟି): ରାଷ୍ଟ୍ରପତିଙ୍କ ଗଞ୍ଜାମ ଜିଲ୍ଲା ଗସ୍ତକୁ ସୁରକ୍ଷିତ ଓ ସୁଚାରୁରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଆଜି ବ୍ରହ୍ମପୁରସ୍ଥିତ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସୁରକ୍ଷା ବ୍ୟବସ୍ଥାର ଏକ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା. ଶ୍ରବଣା ବିବେକ ଏମ୍‌ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ହରିଶ ବିଶି,ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ପୁଲିସ, ପ୍ରଶାସନ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ସୁରକ୍ଷା ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ସୂଚନା ଯୋଗ୍ୟ ଯେ, ୪ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ୧୦ ମିନିଟ୍ ସମୟରେ ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମ କିମ୍ବା ପରିସ୍ଥିତି ଅନୁଯାୟୀ ୩ ନମ୍ବର ପ୍ଲାଟଫର୍ମରେ ପହଞ୍ଚିବେ । ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ସ୍ୱାଗତ ଜଣାଇବା ସହ ସ୍ୱଳ୍ପ ସମୟର ରହଣି କାଳରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ରାଷ୍ଟ୍ରପତିଙ୍କ ବ୍ରହ୍ମପୁରରୁ ତପ୍ତପାଣି ଗସ୍ତ ଏବଂ ସେହି ମାର୍ଗରେ ପ୍ରତ୍ୟାବର୍ତ୍ତନକୁ ଦୃଷ୍ଟିରେ ରଖି କାରକେଡ଼ ରିହାର୍ସାଲ୍, ରୁଟ୍‌ର ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ, ଟ୍ରାଫିକ୍ ପରିଚାଳନା,ଟ୍ରାଫିକ୍ ଆଡଭାଇଜରୀ ଜାରି,ଅଗ୍ନିଶମ ବାହିନୀ,ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବାକୁ ସଜାଗ ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।

ରାଷ୍ଟ୍ରପତି ଗନ୍ତବ୍ୟ ସ୍ଥଳକୁ ଯିବା ବାଟରେ ଜନସାଧାରଣଙ୍କ ସହ ସାକ୍ଷାତ୍ ଓ ମତବିନିମୟ କରିବାର ସମ୍ଭାବନାକୁ ନଜରରେ ରଖି ସମ୍ଭାବ୍ୟ ସ୍ଥାନଗୁଡ଼ିକରେ ବ୍ୟାରିକେଡ଼ ବ୍ୟବସ୍ଥା, ଅତିରିକ୍ତ ପୁଲିସ ମୁତୟନ, ଆକାଶପଥକୁ ‘ନୋ-ଫ୍ଲାଇ ଜୋନ୍’ ଘୋଷଣା ଏବଂ ସର୍ବୋଚ୍ଚ ସ୍ତରର ସୁରକ୍ଷା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା ।

ତପ୍ତପାଣିସ୍ଥିତ ମନ୍ଦିର ପରିଦର୍ଶନ ସମୟରେ ସୁରକ୍ଷା,ଗାଡ଼ି ପାର୍କିଂ, ଟ୍ରାଫିକ୍ ପରିଚାଳନା ଓ କାରକେଡ଼ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ ଆବଶ୍ୟକ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ ପାଇଁ ନିଷ୍ପତ୍ତି ହୋଇଥିଲା । ସେହିପରି କାର୍ ପାସ୍, ଭିଭିଆଇପି ପାସ୍ ଓ ପରିଚୟପତ୍ର ପ୍ରଦାନକୁ ସୁରକ୍ଷା ଦୃଷ୍ଟିରୁ ଯଥାସମ୍ଭବ ସୀମିତ ରଖିବାକୁ ସ୍ଥିର କରାଯାଇଥିଲା । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମଗ୍ର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୫୦ ପ୍ଲାଟୁନ୍ ପୁଲିସ ବଳ ମୁତୟନ କରାଯାଇଛି ।

ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସମ୍ଭାବ୍ୟ ଗସ୍ତକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ଆର୍ମି ଏଡି କଲେଜରେ ରାତ୍ରି ରହଣି ଓ ସମ୍ପୃକ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

ରାଷ୍ଟ୍ରପତିଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବାରୁ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଥିଲା ।

Leave A Reply

Your email address will not be published.