ପୋଲସରା,୨୭/୦୭ (ପିପିଟି): ଗଞ୍ଜାମ ଜିଲ୍ଲା ନବଗଠିତ ୨୧ ୱାର୍ଡ଼ ଏବଂ ୩୦ ହଜାରରୁ ଉର୍ଦ୍ଧ ଜନ ସଂଖ୍ୟା ବିଶିଷ୍ଟ ପୌରପାଳିକାର ବେଲଗାଁ ଛକ – କୋର୍ଟ ରାସ୍ତାଟି ଦୀର୍ଘଦିନ ହେବ କଳୁପିତ ପରିବେଶ ସହିତ ପୁତିଗନ୍ଧମୟ ରାସ୍ତା ପାଲିଟିଛି। ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱକର୍ତ୍ତି ସ୍ଥାନରେ ପ୍ରତିଦିନ କୁଢ଼ କୁଢ଼ ଅବ୍ୟବହାର ଛେଳି ଚମଡ଼ା, ମାଛ କାଢ଼ି, ହାଡ଼, କୁକୁଡ଼ାମାନଙ୍କ ପର, ଅନ୍ତବୁଜୁଳା ସବୁ ପକାଯିବା ଦ୍ୱାରା ଏହି ସବୁ ଅଖାଦ୍ୟଗୁଡିକୁ ବୁଲା କୁକୁର, ବିଲୁଆ,ଶାଗୁଣା,ବିଲେଇ ଆଦି ପ୍ରାଣୀମାନେ ଖାଇବାକୁ ଆସି ଖାଇବା ସହିତ ଏଣେ ତେଣେ ଓ ରାସ୍ତା ଉପରେ ପକାଇବା ଏବଂ ପ୍ରବାହିତ ପବନରେ ପରସବୁ ଉଡ଼ି ପଡ଼ିଥାଉଛି। ପୁଣି ଦିନ ଦିନ ଧରି ମାଟି ଉପରେ ପଡ଼ିବା ଦ୍ୱାରା ଅସହ୍ୟ ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏହି ପୋଲସରା ବେଲଗାଁ ଛକ ରାସ୍ତାର ଉଭୟ ପାର୍ଶ୍ୱରେ ଶିକ୍ଷାନୁଷ୍ଠାନ, ନୂତନ ନିର୍ମାଣଧୀନ କୋର୍ଟ କାର୍ଯ୍ୟାଳୟ ଗଢ଼ି ଉଠୁଥିବା ଜନବସତି ୨୦ ଏବଂ ୨୧ ୱାର୍ଡ଼ର ମନଶିଳା ଓ ବେଲଗାଁ ରହିଅଛି। ସବୁଠାରୁ ବଡମ୍ବନା ଏହି କି ପ୍ରତିଦିନ ଏହି ଛକ ରାସ୍ତା ଦେଇ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ,ସାଧାରଣ ଜନତା ଯିବା ଆସିବା କରୁଛନ୍ତି ପୁଣି ଆଉ କେତୋଟି ମାସ ପରେ ନିର୍ମାଣଧିନ ନୂତନ କୋର୍ଟ ସମ୍ପୂର୍ଣ୍ଣ ହୋଇ ନ୍ୟାୟ ଦେବାକୁ କାର୍ଯ୍ୟକ୍ଷମ ହେବାକୁ ଥିବାବେଳ ଏହି ଛକର ଉଭୟ ପାର୍ଶ୍ୱରେ ଉକ୍ତ ବିଷାକ୍ତ ଅଖାଦ୍ୟଗୁଡ଼ିକ ପଡ଼ି ରହିବା ଦ୍ୱାରା ସ୍ୱାସ୍ଥ୍ୟ ଏବଂ ପରିବେଶ ଦୁଷିତ ହେବା ସହିତ ଆଗକୁ ମହାମାରୀର ରୁପନ ନେବ ତାହା ଅସମ୍ଭବ ନୁହେଁ ବୋଲି ଉଲ୍ଲେଖ କରାଗଲେ କୌଣସି ଅତ୍ୟୁକ୍ତି ହେବ ନାହିଁ। ଆଉ ଏଭଳି ସମ୍ଭାବନା ପରିସ୍ଥିତି ପାଇଁ ପୋଲସରା ପୌରପାଳିକାକୁ ସମସ୍ତେ ଦାୟୀ କରୁଥିବା ବେଳେ ସହରାଞ୍ଚଳର ବୁଦ୍ଧିଜୀବୀ ଏବଂ ସଚେତନ ନାଗରିକମାନେ ଅତି କଟାକ୍ଷ ଭାବରେ ମହାମାରୀକୁ ନିମନ୍ତ୍ରଣ କରୁଛି ବେଲଗାଁ କୋର୍ଟ ରାସ୍ତା,ମହାନିଦ୍ରାରେ ନବ ଗଠିତ ପୋଲସରା ପୌରପାଳିକା ବୋଲି ଚାହା ଖଟିରେ ପରଷ୍ପର ମଧ୍ୟରେ କରୁଥବା ଆଲୋଚନାରୁ ଶୁଣିବାକୁ ମିଳିଛି। ତେଣୁ ବେଳ ଥାଉ ଥାଉ ବାଳ ବାନ୍ଧିବା ନ୍ୟାୟରେ ଅବିଳମ୍ବେ ଏହି ଆସନ୍ନ ଗୁରୁତର ସମସ୍ୟା ପ୍ରତି ଦୃଷ୍ଟି ଦେଇ ବିହିତ ସ୍ଥାୟୀ ପଦକ୍ଷେପ ନେଲେ ପୋଲସରା ପୌର ପରିଷଦ ପକ୍ଷେ ଅତି ଭଲ ହେବ ବୋଲି ଅଞ୍ଚଳର ପରିବେଷବିତମାନେ କହୁଛନ୍ତି।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା