ଅନ୍ତିମ ଭୋଟର ତାଲିକା ପ୍ରକାଶନ ପାଇଁ ୨୧,୮୯,୫୩୩ଟି ଆବେଦନ ସଂରକ୍ଷିତ ।

0 208

ଛତ୍ରପୁର,୨୪/୦୭(ପିପିଟି): ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)-୨୦୨୬ ଅଧୀନରେ ଚାଲିଥିବା ଭୋଟର ତାଲିକା ସମ୍ପର୍କିତ ଆପତ୍ତି, ଅଭିଯୋଗ, ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରାଯାଇଛି ।

ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ପାଇଁ ମୋଟ ୫,୨୯,୦୮୬ଟି ନୋଟିସ୍‌ ସଫଳତାର ସହ ସୃଷ୍ଟି କରାଯାଇଛି । ସେଥିମଧ୍ୟରୁ ୨,୦୦,୭୩୬ଟି ନୋଟିସ୍‌ ବିତରଣ କରାଯାଇଥିବାବେଳେ, ଅବଶିଷ୍ଟ ୩,୨୮,୩୫୦ଟି ନୋଟିସ୍‌ ବିଏଲ୍‌ଓ ଓ ନିର୍ବାଚନ କର୍ମଚାରୀମାନେ ଘରକୁ ଘର ଯାଇ ଶୀଘ୍ର ବିତରଣ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି. କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାରେ ନୋଟିସ୍‌ଗୁଡ଼ିକର ଶୁଣାଣି ପ୍ରକ୍ରିୟା ମଧ୍ୟ ସୁଚାରୁ ଭାବେ ଚାଲିଛି । ଏପର୍ଯ୍ୟନ୍ତ ୫୫,୮୩୧ଟି ନୋଟିସ୍‌ର ଶୁଣାଣି ସମ୍ପନ୍ନ ହୋଇଥିବାବେଳେ ୧,୭୬୨ଟି ମାମଲା ବିଚାରାଧୀନ ରହିଛି। ଯାଞ୍ଚ ପରେ ୩୦୫ଟି ମାମଲାକୁ ଅଯୋଗ୍ୟ ବିବେଚନା କରାଯାଇଛି ।

ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୨୧,୮୯,୫୩୩ଟି ଆବେଦନ ଅନ୍ତିମ ଭୋଟର ତାଲିକା ପ୍ରକାଶନ ପାଇଁ ସଂରକ୍ଷିତ ରହିଛି। ସେଥିମଧ୍ୟରୁ ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୨,୦୦,୪୮୩ଟି ଆବେଦନ ସଂରକ୍ଷିତ ରହିଛି । ସମସ୍ତ ବିଧିବଦ୍ଧ ଯାଞ୍ଚ, ଶୁଣାଣି ଓ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଏହି ଆବେଦନଗୁଡ଼ିକୁ ଅନ୍ତିମ ଭୋଟର ତାଲିକାରେ ସ୍ଥାନ ଦିଆଯିବ ।

ଜିଲ୍ଲାର ସମସ୍ତ ବିଏଲ୍‌ଓ, ନିର୍ବାଚନ କର୍ମଚାରୀ ଓ ତଦାରଖକାରୀ ଅଧିକାରୀମାନେ ନୋଟିସ୍‌ ବିତରଣ, କ୍ଷେତ୍ରସ୍ତରୀୟ ଯାଞ୍ଚ ଓ ଶୁଣାଣି କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରୁଥିବାରୁ ଜିଲ୍ଲାପାଳ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି। ଅବଶିଷ୍ଟ କାର୍ଯ୍ୟକୁ ମଧ୍ୟ ସମାନ ତତ୍ପରତା ଓ ନିଷ୍ଠାର ସହ ସମାପ୍ତ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.