ମାଲକାନଗିରି, ୧୩/୦୭(ପିପିଟି):ଆସନ୍ତା ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ସୋମନାଥ ପ୍ରଧାନ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ ଏବଂ ଏଡିପିଏଚଓ ଡା ମିନତୀ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ । ଏଥିସହ ବୈଠକରେ ସମସ୍ତ ସେବାୟତ, ମନ୍ଦିର ପରିଚାଳନା କମିଟି ସଦସ୍ୟ, ରଥ ମହାରଣାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକ ପ୍ରାରମ୍ଭରେ ତହସିଲଦାର ତଥା ଦେବୋତ୍ତର ନିର୍ବାହୀ ଅଧିକାରୀ ଦେବାଶିଷ ଜେନା ପୂର୍ବ ବର୍ଷର ରଥଯାତ୍ରା ବିବରଣୀ ପାଠ କରିଥିଲେ । ଚଳିତ ବର୍ଷର ରଥଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହ ମହାପ୍ରଭୁଙ୍କ ନୀତିକାନ୍ତି ସମୟସୂଚୀ ପ୍ରକାଶ ପାଇଛି।
ସୁରକ୍ଷା ଓ ପରମ୍ପରାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରଥ ଉପରେ କେବଳ ପୂଜକ ଓ ଡାହୁକଙ୍କୁ ମିଶାଇ ସମୁଦାୟ ୭ ଜଣ ସଦସ୍ୟ ରହିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ସୁରକ୍ଷା ପାଇଁ ସହରର ସମସ୍ତ ପ୍ରମୁଖ ସ୍ଥାନ ତଥା ଚାରିଆଡେ ସିସିଟିଭି କ୍ୟାମେରା ଖଞ୍ଜାଯିବ । ବାହାରୁ ଆସୁଥିବା ଯାନବାହନ ଗୁଡ଼ିକର ସଠିକ୍ ପରିଚାଳନା ପାଇଁ ସ୍ଥାନୀୟ ବସ୍ ଷ୍ଟାଣ୍ଡରେ ପାର୍କିଂ ବ୍ୟବସ୍ଥା କରାଯିବ । ଏହାସହିତ ଭାରୀ ଯାନବାହନ ପାଇଁ ସ୍ୱତନ୍ତ୍ର ରୁଟ୍ ଡାଇଭର୍ସନ ବ୍ୟବସ୍ଥା ମଧ୍ୟ ହୋଇଛି।
ଏହି ପବିତ୍ର ଯାତ୍ରା ର ସଫଳ ପରିଚାଳନା ପାଇଁ ସ୍ଥାନୀୟ ବିଶ୍ୱକର୍ମା ଓ ମହାରଣାଙ୍କ ଦ୍ୱାରା ନିର୍ମିତ ରଥର ଗଠନମୂଳକ ସ୍ଥିରତା ଯାଞ୍ଚ କରି ପୂର୍ତ୍ତ ବିଭାଗଠାରୁ ଚୂଡ଼ାନ୍ତ ଫିଟନେସ୍ ସାର୍ଟିଫିକେଟ୍ ହାସଲ କରାଯିବ । ବିଦ୍ୟୁତ ବିଭାଗ ଓ ପୌରପାଳିକା ପକ୍ଷରୁ ରଥ ମାର୍ଗରୁ ଝୁଲନ୍ତା ତାର ଓ ଗଛର ଡାଳ ସଫା କରାଯାଉଛି । ମୌସୁମୀ ବର୍ଷା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରଥ ମାର୍ଗରେ ଆମ୍ୱୁଲାନ୍ସ ସହ ଜରୁରୀକାଳୀନ ସ୍ୱାସ୍ଥ୍ୟ ଶିବିର, ମାଗଣା ଓଆରଏସ୍ ପ୍ୟାକେଟ୍, ପାନୀୟ ଜଳ ଟ୍ୟାଙ୍କର ଓ ଅସ୍ଥାୟୀ ବାୟୋ-ଟଏଲେଟ୍ ର ବ୍ୟବସ୍ଥା କରାଯିବ । ବର୍ଷା ଜନିତ ବିଦ୍ୟୁତ ବିଭ୍ରାଟର ମୁକାବିଲା ପାଇଁ ହାଇ-କାପାସିଟି ଜେନେରେଟର ବ୍ୟବସ୍ଥା କରାଯିବା ସହ ସୋସିଆଲ ମିଡିଆରେ ଗୁଜବ ରୋକିବା ପାଇଁ ଏକ ସରକାରୀ ସୂଚନା କେନ୍ଦ୍ର କାର୍ଯ୍ୟ କରିବ ।ସେହିପରି ପ୍ରକାଶିତ ପାଞ୍ଜି ନିର୍ଘଣ୍ଟ ଅନୁସାରେ, ଜୁଲାଇ ୧୪ ତାରିଖ ମଙ୍ଗଳବାର ଦିନ ସକାଳ ୦୯:୨୦ ରୁ ୧୧:୪୪ ମଧ୍ୟରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ନେତ୍ର ଉତ୍ସବ ସମ୍ପନ୍ନ ହେବ । ଜୁଲାଇ ୧୬ ତାରିଖ ଗୁରୁବାର ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳ ୦୯:୧୦ ରୁ ୧୧:୦୫ ମଧ୍ୟରେ ରଥ ପ୍ରତିଷ୍ଠା, ଅପରାହ୍ନ ୦୨:୫୬ ରୁ ୦୩:୧୬ ମଧ୍ୟରେ ପହଣ୍ଡି ବିଜେ ଏବଂ ଅପରାହ୍ନ ୦୪:୦୩ ରୁ ୦୪:୧୫ ମଧ୍ୟରେ ରଥଟଣା ପ୍ରାରମ୍ଭ ହେବ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)