ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଅକାଳ ବିୟୋଗରେ ଶୋକସଭା ।

0 2

କଟକ,୧୧/୦୭ : ଚାଉଳିଆଗଞ୍ଜ ଥାନାର ପୂର୍ବତନ ଥାନା ଅଧିକାରୀ ସ୍ବର୍ଗତ ବିୟୁଟି ମହାନ୍ତିଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ଚାଉଳିଆଗଞ୍ଜ ପୂଜା କମିଟି ତଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ମିଳିତ ସହଯୋଗ ରେ ଏକ ଭାବପୂର୍ଣ୍ଣ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଏହି ଶୋକସଭାରେ ଉପସ୍ଥିତ ଅତିଥି ଓ ଜନସାଧାରଣ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ। ପୁଲିସ ସେବାରେ ତାଙ୍କର ଅତୁଳନୀୟ ଅବଦାନ ଏବଂ ସ୍ଥାନୀୟ ଅଞ୍ଚଳରେ ତାଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବା ସହ ତାଙ୍କର ମାନବୀୟ ଗୁଣର ସ୍ମୃତି ଚାରଣ କରିଥିଲେ। ସେ ଜଣେ ଦକ୍ଷ ଏବଂ ଜନପ୍ରିୟ ପୁଲିସ ଅଧିକାରୀ ଭାବେ ସଦାସର୍ବଦା ଜନମାନସରେ ସ୍ମରଣୀୟ ହୋଇ ରହିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ କଟକ କମିଶନରେଟ୍ ଅଧିନରେ ଥିବା ସମସ୍ତ ଥାନାର ବରିଷ୍ଠ ଥାନା ଅଧିକାରୀ ,ଛଅଟି ଜୋନ୍ ର ଏସିପି ଏବଂ ଏଡିସିପି ଅମରେନ୍ଦ୍ର ପଣ୍ଡାଙ୍କ ସହିତ ବହୁ ପୁଲିସ କର୍ମଚାରୀ ଉପସ୍ଥିତ ରହି ସ୍ୱର୍ଗତ ମହାନ୍ତିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଚାଉଳିଆଗଞ୍ଜ ପୂଜା କମିଟିର ସଭାପତି ଦେବେନ୍ଦ୍ର ପାତ୍ର ସମ୍ପାଦକ ନିରଞ୍ଜନ ସାହୁ ସହିତ ଚାଉଳିଆଗଞ୍ଜ ଅଞ୍ଚଳର ଅଧିବାସୀମାନେ ଉପସ୍ଥିତ ରହି ସ୍ବର୍ଗତ ବିୟୁଟି ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।”ସ୍ୱର୍ଗତ ବିୟୁଟି ମହାନ୍ତିଙ୍କ ବିୟୋଗ କେବଳ ପୁଲିସ ବିଭାଗ ପାଇଁ ନୁହେଁ, ବରଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି।”ଏହି ଶୋକସଭାରେ ଚାଉଳିଆଗଞ୍ଜ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଓ ବିଶାଳ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.