ଯାଜପୁର,୦୪/୦୭(ପିପିଟି):ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବାଲିସାହି ଅଞ୍ଜିରା ଠାରେ ବନ ମହୋତ୍ସବ ସପ୍ତାହ ର ତୃତୀୟ ଦିନରେ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ପରିସରରେ ଉଦ୍ଦିୟମାନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଚଣ୍ଡିଖୋଲ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସ୍କୁଲର କୁନି କୁନି ପିଲାମାନେ ପରିବେଶ ସନ୍ତୁଳନ ରକ୍ଷା ଏବଂ ସଚେତନତା ସୃଷ୍ଟି ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ପରିଚାଳକ ମାନସ ରଞ୍ଜନ ବିଶ୍ବାଳ ସଭାପତିତ୍ୱ କରିଥିଲେ। ମୂଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷା ନିରୀକ୍ଷକ ରାମଚନ୍ଦ୍ର ଶୁକ୍ଳ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସାହୁ, ମୂଖ୍ୟ ବକ୍ତା ଉଦ୍ଦିୟମାନ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଅନିଲ କୁମାର ଦାସ, ସମାଜସେବୀ ରାଧାରାଣୀ ରଥ, ବିନୋଦ ରଥ ପ୍ରମୁଖ ଅତିଥିଭାବରେ ଯୋଗଦେଇ ଆମ ପରିବେଶ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ଋତୁଚକ୍ରର ବ୍ୟତିକ୍ରମ, ଅହେତୁକ ତାପମାତ୍ରା ବୃଦ୍ଧି, ନୂତନ ଶିଳ୍ପ, ରାସ୍ତାଘାଟ, ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ବୃକ୍ଷ କଟା ହୋଇଥିବା ଯୋଗୁଁ ତାର କୁ ପ୍ରଭାବ ରୁ ମୁକ୍ତି ପାଇବା ପାଇଁ ବ୍ୟାପକ ବୃକ୍ଷରୋପଣ କରିବାକୁ ଗୁରୁତ୍ୱାରୋପ କରିଥିଲେ। ପରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସ୍ଲୋଗାନ ସୁସ୍ଥ ପରିବେଶ ପାଇଁ ସଚେତନତା ସମ୍ବଳିତ ପ୍ଲାକାର୍ଡ ଧରାଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଶୋଭାଯାତ୍ରା ପରିକ୍ରମା କରିବା ପରେ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ଗଛ ଲଗାଇ ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଉଦାହରଣ ସୃଷ୍ଟି କରିଥିଲେ।