ଯାଜପୁରରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ।

0 191

ଯାଜପୁର, ୦୪/୦୭(ପିପିଟି): ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କ ଆଇନଗତ ଅଧିକାରର ସୁରକ୍ଷା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଯାଜପୁର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ଓ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୌତମ ବୁଦ୍ଧ ସଂସ୍କୃତି ଭବନ, ଯାଜପୁର ଠାରେ ଆୟୋଜିତ ଏହି ସ୍ୱେଚ୍ଛାସେବୀ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ‘ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ, ୨୦୧୬’ (RPwD Act, 2016) ର ବିଭିନ୍ନ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ ଏହାର ଅଧ୍ୟକ୍ଷତା କରିଥିଲେ।

ସଭାକୁ ସମ୍ବୋଧିତ କରି ଜିଲ୍ଲାପାଳ ଅମ୍ବର କୁମାର କର କହିଥିଲେ ଯେ, ଭିନ୍ନକ୍ଷମ ବ୍ୟକ୍ତିମାନେ ସମାଜର ଅବିଚ୍ଛେଦ୍ୟ ଅଙ୍ଗ। ସେମାନଙ୍କ ପାଇଁ ସମାନ ସୁଯୋଗ ଓ ଏକ ବାଧାମୁକ୍ତ ସୁଗମ ପରିବେଶ ସୃଷ୍ଟି କରିବା ପ୍ରଶାସନର ମୁଖ୍ୟ ଲକ୍ଷ୍ୟ। ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ କରି ସେମାନଙ୍କ ଆର୍ଥିକ ଓ ସାମାଜିକ ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ସେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଜିଲ୍ଲାର ପ୍ରତ୍ୟେକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଖରେ ଯେପରି ସରକାରୀ ସୁବିଧା ପହଞ୍ଚିପାରିବ, ସେଥିପାଇଁ ସମସ୍ତ ବିଭାଗ ମିଳିତ ଓ ସମନ୍ୱିତ ପ୍ରୟାସ କରିବା ଆବଶ୍ୟକ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

ଏହି ସଚେତନତା ସଭାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ରାଜ୍ୟ କମିଶନର ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଯୋଗଦେଇ ଭିନ୍ନକ୍ଷମମାନଙ୍କ ସଶକ୍ତିକରଣ ଉପରେ ସ୍ୱତନ୍ତ୍ର ଆଲୋକପାତ କରିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ, “ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସମାଜରେ ସମାନ ମର୍ଯ୍ୟାଦା ଓ ଅଧିକାର ଦେବା ଆମ ସମସ୍ତଙ୍କର ସାମାଜିକ ତଥା ସାମ୍ବିଧାନିକ ଦାୟିତ୍ୱ। ୨୦୧୬ ଅଧିନିୟମ କେବଳ କାଗଜପତ୍ରରେ ସୀମିତ ନରହି ଏହାର ପ୍ରତିଟି ବ୍ୟବସ୍ଥା ଯେପରି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେବ, ସେଥିପାଇଁ କମିଶନ ଦୃଢ଼ ପଦକ୍ଷେପ ନେଉଛନ୍ତି। ଭିନ୍ନକ୍ଷମତା କୌଣସି ଅକ୍ଷମତା ନୁହେଁ, ସେମାନଙ୍କ ପ୍ରତିଭାକୁ ଚିହ୍ନି ସୁଯୋଗ ଦେଲେ ସେମାନେ ସମାଜ ଗଠନରେ ବଡ଼ ଭୂମିକା ଗ୍ରହଣ କରିପାରିବେ।”

ଏହି ଅବସରରେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ, ଯାଜପୁର ଯୁଧିଷ୍ଠିର ନାଏକ ନିଜର ବକ୍ତବ୍ୟ ରଖି କହିଥିଲେ “ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରତି କେବଳ ସହାନୁଭୂତି ଦେଖାଇଲେ ହେବନାହିଁ, ବରଂ ସେମାନଙ୍କୁ ସମ୍ବେଦନଶୀଳତାର ସହ ସମ୍ମାନ ଓ ଅଧିକାର ଦେବାକୁ ହେବ। ଆଇନଗତ ଭାବେ ସେମାନେ ଯେଉଁ ସବୁ ସୁବିଧା ପାଇବା କଥା, ତାହା ସେମାନଙ୍କର ଅଧିକାର। ସମାଜରେ ଏକ ସମାବେଶୀ ବାତାବରଣ ତିଆରି କରିବା ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପଦକ୍ଷେପ ନିଆଯାଉଛି ଏବଂ କୌଣସି ବି ଭିନ୍ନକ୍ଷମ ବ୍ୟକ୍ତି ଯେପରି ନିଜର ହକ୍‌ରୁ ବଞ୍ଚିତ ନ ହେବେ, ତାହା ସୁନିଶ୍ଚିତ କରାଯିବ।”

ଏହି ଅବସରରେ କାର୍ଯ୍ୟକ୍ରମରେ ମୁଖ୍ୟ ରିସୋର୍ସ ପର୍ସନ ଭାବେ ଯୋଗଦେଇ ଶ୍ରୀ ଆର. କେ. ଶର୍ମା ଉପସ୍ଥିତ ସମସ୍ତ ଅଧିକାରୀ ଓ ଜନସାଧାରଣଙ୍କୁ RPwD Act, 2016 ର ଜଟିଳ ଆଇନଗତ ଦିଗଗୁଡ଼ିକୁ ଅତି ସରଳ ଭାଷାରେ ବୁଝାଇଥିଲେ।ଏହି ଶିବିରରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଆଇନଗତ ଅଧିକାର, ସୁରକ୍ଷା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ବିଭିନ୍ନ ବିଭାଗର ଭୂମିକା ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO), ଜାନକୀ ହେମ୍ବ୍ରମ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ପାର୍ବତୀ ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମାଝୀ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ଭିନ୍ନକ୍ଷମ ବ୍ୟକ୍ତି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.