ଶୁଣିଲାନି ପ୍ରଶାସନ,ରାସ୍ତା ମରାମତି କଲେ ତାଳତୁମ୍ବ ଗ୍ରାମର ଯୁବକ ମାନେ।

0 0

ବୋଲଗଡ଼,୨୭/୦୬(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ଆଦର୍ଶ ଗ୍ରାମପଞ୍ଚାୟତର ତାଳତୁମ୍ଭ–ବୋରିକ ମାଟି ରାସ୍ତା ଦୀର୍ଘଦିନ ଧରି ଅବହେଳିତ ହୋଇ ରହିଥିବାରୁ ବର୍ଷା ଦିନରେ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ପୋଖରୀର ଭ୍ରମ ସୃଷ୍ଟି କରୁଥିଲା। ଏପରିକି ଯାତାୟାତ ଅତ୍ୟନ୍ତ ବିପଦଜନକ ହୋଇପଡ଼ିଥିଲା। ବିଶେଷ କରି ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ସ୍କୁଲ ଛାତ୍ରଛାତ୍ରୀ, ସ୍ଥାନୀୟ ବାସିନ୍ଦା ଓ ଚାଷୀମାନେ ଯାତାୟାତ କରୁଥିବାରୁ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସ୍ଥାନୀୟ ଲୋକମାନେ ବାରମ୍ବାର ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ରାସ୍ତାର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା। ଫଳରେ ତାଳତୁମ୍ବ ଗ୍ରାମର ଯୁବଗୋଷ୍ଠୀ ସାମାଜିକ ଦାୟିତ୍ୱବୋଧରୁ ଆଗେଇ ଆସି ସ୍ୱେଚ୍ଛାକୃତ ଭାବେ ମୋରମ ପକାଇ ରାସ୍ତାକୁ ଚଳାଚଳ ଉପଯୋଗୀ କରିବାର ପ୍ରୟାସ କରିଛନ୍ତି। ଏହି ସମାଜସେବାମୂଳକ କାର୍ଯ୍ୟରେ ସମାଜସେବୀ ଅଖୟ ରାଉତରାୟ, ସନ୍ତୋଷ ମାଝୀ, ପ୍ରଭାତ ରଥ, ଲକ୍ଷ୍ମଣ ରାମ, ବାଇଧର ଓ ଅନ୍ୟାନ୍ୟ ଯୁବସାଥୀମାନେ ସକ୍ରିୟ ସହଯୋଗ କରିଥିଲେ। ସ୍ଥାନୀୟ ଅଞ୍ଚଳବାସୀ ଯୁବଗୋଷ୍ଠୀଙ୍କ ଏହି ମହତ୍ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ତାଳତୁମ୍ଭ–ବୋରିକ ରାସ୍ତାର ସ୍ଥାୟୀ ଉନ୍ନତି ପାଇଁ ପ୍ରଶାସନ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି, ଯାହାଦ୍ୱାରା ଆଗାମୀ ଦିନରେ ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ଜନସାଧାରଣ ସୁରକ୍ଷିତ ଭାବେ ଯାତାୟାତ କରିପାରିବେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.