ପୋଲସରା ,୨୪/୦୬(ପିପିଟି):ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ସରକାର ବିଚାର କରୁଛନ୍ତି । ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ମତ୍ସ୍ୟ ଓ ପ୍ରାଣୀ ଧନ ବିକାଶ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଆଜି ଏଠାରେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ଆଜି ପୋଲସରା ସହରର ପାଟିଗଡ ରାସ୍ତା ରେ ଥିବା ମଧୁବଶ୍ୟ ସମାଜ କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ସହିତ ପୋଲସରା ପ୍ରେସ କ୍ଳବର ୧୯ ତମ ବାର୍ଷିକ ଉତ୍ସବ ମିଳିତ ଭାବେ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ ସାମ୍ବାଦିକ ମାନେ ଖାଲି ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ନୁହନ୍ତି ସେମାନେ ମଧ୍ୟ ସମାଜର ଦର୍ପଣ ସଦୃଶ୍ୟ ଅଟନ୍ତି। ଏଣୁ ସେମାନେ ଗଣତନ୍ତ୍ର ର ସୁରକ୍ଷା ସହିତ ସମାଜର ସମସ୍ୟା କୁ ଦର୍ପଣ ଭଳି ଦେଖାଇଥାନ୍ତି। ସାମ୍ବାଦିକ ମାନଙ୍କ ପ୍ରତି ବର୍ତ୍ତମାନ ସରକାର ଙ୍କ ର ସହାନୁଭୂତି ରହିଛି ବୋଲି କହିଥିଲେ । ଉତ୍ସବରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଆସିକା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ କହିଥିଲେ ସାମ୍ବାଦିକ ମାନେ କେବଳ ନିଜ ପାଇଁ ବଞ୍ଚନ୍ତି ନାହିଁ ସେମାନେ ମଧ୍ୟ ଗଣତନ୍ତ୍ର ପାଇଁ ବଞ୍ଚନ୍ତି। ଏଣୁ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସହିତ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏଥିସହ ପୋଲସରା ପ୍ରେସ୍ କ୍ଳବ୍ ର ନିଜସ୍ବ ଗୃହ ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଓ ସାଂସଦ ଶ୍ରୀମତୀ ପଟ୍ଟନାୟକ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦେବା ପାଇଁ ଘୋଷଣା କରିଥିଲେ। ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ଅନ୍ୟତମ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ୧୯ ଟି ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରିଥିବା ବେଳେ ୨ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରି ସାରିଲେଣି। ଏଣୁ ରାଜ୍ୟ ସରକାର ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ। ଓୟୁଜେ ଗଞ୍ଜାମ ଜିଲ୍ଲା ସଭାପତି ସଦାଶିବ ପଣ୍ଡା ଓ ପୋଲସରା ପ୍ରେସ କ୍ଳବର ସଭାପତି କେ ସୁମିତା ପାତ୍ରଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆଚାର୍ଯ୍ୟ ବିଶ୍ବ ରଞ୍ଜନ , ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ପ୍ରଧାନ , ଅଶୋକ କୁମାର ମହାଙ୍କୁଡ , ରାଜୀବ ଲୋଚନ ମିଶ୍ର , ରବିନ୍ଦ୍ରନାଥ ମିଶ୍ର , ଚିନ୍ମୟ ମହାପାତ୍ର , ରବିନ୍ଦ୍ର କୁମାର ପଣ୍ଡା , ରାଜ ଗୋପାଳ ପାଢ଼ୀ , ମେଘନାଦ ଦାସ ଏବଂ ଶକ୍ତି ଧର ରାଜଗୁରୁ ପ୍ରମୁଖ ନିଜ ନିଜର ମନ୍ତବ୍ୟ ରଖିଥିଲେ । ବୈଠକ ପ୍ରାରମ୍ଭରେ ଯୁବ ସଂଗଠକ ସିମାଞ୍ଚଳ ସାହୁ ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସନ୍ତୋଷ କୁମାର ମିଶ୍ର ଓ ସନ୍ତୋଷ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ । ସର୍ବ ନାରାୟଣ ସାହୁ , ଅକ୍ଷାନ୍ତ ମିଶ୍ର , କେ ସନ୍ତୋଷ କୁମାର ପାତ୍ର , ସୁଶାନ୍ତ ମହାରଣା , ଟି ଶରତ କୁମାର ସୁବୁଦ୍ଧି , ନୃସିଂହ ସ୍ବାଇଁ , କାର୍ତ୍ତିକ ପାତ୍ର , ରବିନ୍ଦ୍ର ପ୍ରଧାନ , ପ୍ରଗତି ବନ୍ଧୁ ଦାସ୍ , ରୋହିତ ପ୍ରଧାନ , ପିଣ୍ଟୁ ବିଷୋୟୀ ଓ ହୃଷୀକେଶ ନାୟକ ଉତ୍ସବ ଆୟୋଜନ ଓ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ। ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ମାନେ ବନ୍ଦେ ମାତରଂ ଗାନ କରିଥିବା ବେଳେ ହରିହର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା