ମାଲକାନଗିରି, ୨୧/୦୬(ପିପିଟି):ଜିଲ୍ଲା ପ୍ରଶାସନ , ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଏବଂ ଯୋଗ ମହୋତ୍ସବ ସମିତି ଓଡ଼ିଶାର ସହଯୋଗରେ ସ୍ଥାନୀୟ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ – ୨୦୨୬ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଚଳିତ ବର୍ଷ ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ ବାର୍ତ୍ତାକୁ ନେଇ ଆୟୋଜିତ ଏହି ଭବ୍ୟ ଶିବିରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଉପସ୍ଥିତ ଥିଲେ।ଏହି ଅବସରରେ ବିଧାୟକ ନିଜ ଅଭିଭାଷଣରେ କହିଥିଲେ ଯେ, ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ, ଏହା ହେଉଛି ଆମ ଶରୀର, ମନ ଏବଂ ଆତ୍ମାକୁ ଯୋଡ଼ିବାର ଏକ ପବିତ୍ର ମାଧ୍ୟମ। ଚଳିତ ବର୍ଷର ଆଭିମୁଖ୍ୟ ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ କୁ ସାର୍ଥକ କରିବାକୁ ହେଲେ ଆମକୁ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଇବାକୁ ହେବ ଏବଂ ଏକ ସୁସ୍ଥ, ନିରୋଗ ତଥା ସମୃଦ୍ଧ ମାଲକାନଗିରି ଗଠନ ଦିଗରେ ନିୟମିତ ଯୋଗାଭ୍ୟାସ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ପ୍ରକାଶ କରିଥିଲେ।
ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ ଏହି ସମଗ୍ର ସଫଳ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଶିବିରରେ ଯୋଗ ପ୍ରଶିକ୍ଷକ ବିନାଶ ମିଶ୍ର ଏବଂ ତାଙ୍କ ଟିମ୍ ଦ୍ୱାରା ଉପସ୍ଥିତ ସମସ୍ତ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଓ ପୋଲିସ କର୍ମଚାରୀମାନଙ୍କୁ ଶୃଙ୍ଖଳିତ ଭାବେ ଯୋଗାଭ୍ୟାସ କରାଯାଇଥିଲା। ଏହି ଅବସରରେ ପଶ୍ଚିମ ବଙ୍ଗରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମର ଲାଇଭ ଭିଡ଼ିଓ ପ୍ରଦର୍ଶନ କରାଯାଇଥିବା ବେଳେ ସମସ୍ତେ ମିଳିତ ଭାବେ ଆନ୍ତର୍ଜାତୀୟ ଯୋଗ ଦିବସର ସଂକଳ୍ପ ତଥା ଶପଥ ପାଠ କରିଥିଲେ। ଏହା ସହିତ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସମାଜକୁ ନିଶାମୁକ୍ତ କରିବା ପାଇଁ ନିଶାମୁକ୍ତ ଭାରତ ଅଭିଯାନର ଶପଥ ପାଠ ମଧ୍ୟ କରାଯାଇଥିଲା। ନିୟମିତ ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ ଆହ୍ୱାନ ସହ ସମଗ୍ର ଜିଲ୍ଲାରେ ଏହି ଦିବସଟି ସଫଳତାର ସହ ସମ୍ପନ୍ନ ହୋଇଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)