ଛତ୍ରପୁରରେ ୧୨ତମ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ।

0 242

ଛତ୍ରପୁର,୨୧/୦୬(ପିପିଟି): ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୋଲିସ ପଡିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୨ତମ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।

ସକାଳେ ଅନୁଷ୍ଠିତ ଯୋଗ ଦିବସ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚେଷ୍ଟା କ୍ରମେ ମିଳିତ ଜାତିସଂଘ ୨୦୧୪ ମସିହାରେ ଆଜିର ଦିନକୁ ବିଶ୍ୱ ଯୋଗ ଦିବସ ଭାବେ ଘୋଷଣା କରିବା ଏବଂ ୨୦୧୫ ମସିହାରୁ ସାରା ବିଶ୍ୱରେ ଏହା ପାଳନ ହେବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଯୋଗ ଆମ ଶରୀର ଓ ମନକୁ ସୁସ୍ଥ ରଖିବା ସହ ମାନସିକ କୁବିଚାରକୁ ଦମନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

“ଯୋଗଃ କର୍ମସୁ କୌଶଳମ୍” ଏବଂ “ଯୋଗଶ୍ଚିତ୍ତବୃତ୍ତିନିରୋଧଃ” ଆଦି ଶାସ୍ତ୍ରୀୟ ଉଦ୍ଧୃତି ମାଧ୍ୟମରେ ଦୈନନ୍ଦିନ ଜୀବନରେ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ।

ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଯୋଗ କେବଳ ଶାରୀରିକ ସୁସ୍ଥତା ନୁହେଁ, ମାନସିକ ଶାନ୍ତି ଓ ରୋଗମୁକ୍ତ ଜୀବନର ମାର୍ଗ ଅଟେ। ତେଣୁ ପ୍ରତିଦିନ ଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ।

ଚଳିତ ବର୍ଷର ଯୋଗ ଦିବସର ଆଭିମୁଖ୍ୟ ଥିଲା “ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ”।

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ପ୍ରତିଦିନ କିଛି ସମୟ ଯୋଗ ଓ ବ୍ୟାୟାମ କରି ଶରୀରକୁ ସୁସ୍ଥ ଓ ସୁନ୍ଦର କରି ରଖିବାକୁ ପରାମର୍ଶ ଦେଇଥିଲେ। ଶରୀର ସୁସ୍ଥ ରହିଲେ ମନ ପ୍ରଫୁଲ୍ଲିତ ରହିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ ହରିଶ ବିଶି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଦିବ୍ୟ ରଞ୍ଜନ,ଜନପ୍ରତିନିଧି, ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ ଓ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଯୋଗ ଅଭ୍ୟାସ ପରେ ସମସ୍ତଙ୍କୁ ପ୍ରତିଦିନ ଯୋଗ କରିବା ପାଇଁ ଶପଥ ପାଠ କରାଯାଇଥିଲା।

ଯୋଗ ପ୍ରଶିକ୍ଷକ ହର ପ୍ରସାଦ ସ୍ୱାଇଁ, ପୂଜା ସ୍ୱାଇଁ ଓ ରାମବାବୁ ଡୋରା ସମସ୍ତଙ୍କୁ ଯୋଗ ପ୍ରଶିକ୍ଷଣ ଦେଇଥିଲେ।

Leave A Reply

Your email address will not be published.