କୋଦଳା,୧୯/୦୬(ପିପିଟି ):ପବିତ୍ର ଶୀତଳ ଷଷ୍ଠୀ ବା ଶିବ ବିବାହ ପାଇଁ ଗୁରୁବାର କୋଦଳା ଓ ବେଗୁନିଆପଡା ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଥିଲା । ବିଭିନ୍ନ ଶୈବ ପୀଠରେ ଶିବପାର୍ବତୀ ବିବାହ ପାଇଁ ମନ୍ଦିର ଗୁଡିକୁ ସୁ ସଜ୍ଜିତ ଫୁଲ ଏବଂ ଲାଇଟ ଦ୍ୱାରା ଆଲୋକିତ କରାଯାଇଛି । କୋଦଳା ବିଜେ ବାବା ଶ୍ରୀ ଦଣ୍ଡିଶ୍ଵର ଏବଂ ବାବା ତାଳେଶ୍ୱର ମନ୍ଦିର ଉତ୍ସବ ମୁଖର ହୋଇପଡ଼ିଥିଲା । ବୁଧବାର ସନ୍ଧ୍ୟାରେ ରୀତିନୀତି ଅନୁଯାଇ କୋଦଳା ଡେରାସାହି ସ୍ଥିତ ବିଶ୍ୱନାଥ ପାତ୍ରଙ୍କ ଠାରୁ ମହାଦେବ ଦଣ୍ଡିଶ୍ୱର ଙ୍କ ପାଇଁ ବଉଳପାଟ ଅଣାଯାଇଥିବା ବେଳେ ଗୁରୁବାର ପୂର୍ବାହ୍ନ ରୁ ମହାଦେବଙ୍କ ବିଭିନ୍ନ ନିତ୍ୟକର୍ମ ସହିତ ବେଶ କାର୍ଯ୍ୟ ଚାଲୁରହିଥିଲା, ସନ୍ଧ୍ୟା ୭ ଘଣ୍ଟ ସମୟରେ ମହାଦେବ ତାଳେଶ୍ୱର ଙ୍କ ପଟୁଆର ବାହାରିଥିବା ବେଳେ, ଦଣ୍ଡିଶ୍ୱରଙ୍କ ପଟୁଆର ସନ୍ଧ୍ୟା ୯ଘଣ୍ଟ ସମୟରେ ସାହସ୍ରାଧିକ ଭକ୍ତ ବାହାରି ଢୋଲ, ଥଳ, ମୃଦଙ୍ଗ, ପଶୁମୁଖା, ଡିଜେ ର ତାଳେ ତାଳେ କୋଦଳା ପରିକ୍ରମା କରିବା ସହିତ ନାମଯଜ୍ଞ ମଣ୍ଡପ ନିକଟରେ ବାଟ ବରଣ କରାଯାଇ ଯଥାରିତି ଅନୁଯାଇ କନ୍ୟାପିତାଙ୍କ ପକ୍ଷ ରୁ ବରଣୀ କରାଯାଇ ବିବାହ ମଣ୍ଡପକୁ ପାଛୋଟି ଆଣିଥିଲେ । ମଣ୍ଡପ ବେଦି ଠାରେ ବିଜେ ପ୍ରତିମା ଚନ୍ଦ୍ର ଶେଖରଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ଉତ୍ସବ ବୈଦିକ ରୀତିରେ ପୁରୋହିତଙ୍କ ମନ୍ତ୍ରଧ୍ୱନୀରେ ଏକ ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏଥିରେ ଦଣ୍ଡିଶ୍ୱର ମହାଦେବଙ୍କ ମନ୍ଦିର ପରିଚାଳନା କମିଟି, ସେବାୟତ, ଯାତ୍ରା କମିଟି, ତାଳେଶ୍ୱର ମନ୍ଦିର ପରିଚାଳନା କମିଟି,ସ୍ଥାନୀୟ ପୋଲିସ ଓ ଗ୍ରାମବାସୀଙ୍କ ସହାୟତାରେ ଏହି ଦେବ ବିବାହ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଥିବା ବେଳେ, ଭକ୍ତଙ୍କ ନିମନ୍ତେ ଉଭୟ ମନ୍ଦିର ରେ ଭୋଜି ଭାତ ର ଆୟୋଜନ କରାଯାଇଥିଲା । ସେହିପରି ସାଙ୍କୁଡ଼ା ଧବଳେଶ୍ୱର, ଫାସି ମାଣିକେଶ୍ବର, ବେଗୁନିଆପଡା ଓ ସାଳବଣ ସିଦ୍ଧେଶ୍ୱର, କୋଦଳା ଖଜୁରେଶ୍ୱର, ଓ ଅଞ୍ଚଳ ର ସମସ୍ତ ଶୈବ ପୀଠ ରେ ଦେବଦେବ ମହାଦେବ ଙ୍କ ବିବାହ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ