ପୋଲସରାରେ ବିକାଶର ଧାରା ଓଡ଼ିଶା ସାରା ୪ ଦିବସୀୟ କାର୍ଯ୍ୟକ୍ରମ ଶୁଭାରମ୍ଭ।

0 163

ପୋଲସରା ,୧୭/୦୬(ପିପିଟି):ରାଜ୍ୟ ବିଜେପି ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଗତ ୧୨ ତାରିଖ ଦିନ ହୋଇ ତୃତୀୟ ବର୍ଷରେ ପଦାର୍ପଣ କରିଛି। ଏହି ଦୁଇ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟ ସମେତ ପୋଲସରା ବ୍ଲକରେ ହୋଇଥିବା ବିଭିନ୍ନ ଲୋକାଭିମୁଖୀ ଜନ କଲ୍ୟାଣ ଯୋଜନା ଗୁଡ଼ିକର ସଫଳତାକୁ ନେଇ ଗଞ୍ଜାମ ଜିଲ୍ଲା ପୋଲସରା ପଞ୍ଚାୟତ ସମିତି ପ୍ରଶାସନ ପକ୍ଷରୁ ଆଜି ଅର୍ଥାତ୍‌ ୧୭ ତାରିଖ ବୁଧବାର ଠାରୁ ଆସନ୍ତା ୨୦ ତାରିଖ ଶନିବାର ପର୍ଯ୍ୟନ୍ତ ଚାରି ଦିବସୀୟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।

ସ୍ଥାନୀୟ ମାତୃଶକ୍ତି କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମଟି ପୋଲସରା ବିଡ଼ିଓ ଶଶୀଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମଟିର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ସମୟରେ ସାଂସଦ ପ୍ରତିନିଧି ଶରତ ଚନ୍ଦ୍ର ପାଣିଗ୍ରାହୀ, ପାଣ୍ଡିରିପଡ଼ା ସରପଞ୍ଚ ରଘୁନାଥ ଭୂୟାଁ ଏବଂ ଗୋଚ୍ଛାବାଡି ସରପଞ୍ଚ ପ୍ରତିନିଧି ମନମୋହନ ଗୌଡ଼, ମନ୍ଦାର ସରପଞ୍ଚ ଜିତୁ ବିଷୋୟୀ, ସିଡ଼ିପିଓ ତିଳୋତ୍ତମା ରାଉତ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ରହି ସହଯୋଗ କରିଥିଲେ।

ଏହି ଅବସରରେ ସରକାରଙ୍କ ୨ ବର୍ଷର ବିଭିନ୍ନ କ୍ଷେତ୍ରରେ ହୋଇଥିବା ଏବଂ କରାଯାଇଥିବା କଲ୍ୟାଣମୂଳକ ଯୋଜନା ଗୁଡ଼ିକର ରୁପେଲି ପରଦା ଏବଂ ବିଭିନ୍ନ ବିଭାଗର ଷ୍ଟଲ୍ ଦ୍ୱାରା ପ୍ରଦର୍ଶନ କରାଯିବା ସହିତ ସରକାରଙ୍କ ଉକ୍ତ ଯୋଜନା ଗୁଡ଼ିକ ଦ୍ୱାରା ସର୍ବସାଧାରଣ କିଭଳି ଭାବେ ଲାଭାନ୍ୱିତ, ସଠିକ୍ ବ୍ୟବହାର କରି ନିଜର ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବନ ହୋଇପାରିବେ ସେସବୁ ଉପରେ ଆଲୋକପାତ କରାଯାଇଥିଲା।
କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧିକାରୀ, କର୍ମଚାରୀ, ଅଙ୍ଗନୱାଡ଼ି କର୍ମୀ, ଏସ୍.ଏଚ୍.ଜି ଗ୍ରୁପ୍, ଚାଷୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା। ଶେଷରେ ପ୍ରଥମ ଦିବସରେ ଉପସ୍ଥିତ ଏବଂ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷ ଏବଂ ସହଯୋଗୀମାନଙ୍କୁ ବିଡ଼ିଓ ମହୋଦୟ ଆନ୍ତରିକ ଧନ୍ୟବାଦ ଅର୍ପଣ କରିବା ସହିତ ଯେଉଁ ମହତ୍ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଚାରି ଦିବସୀୟ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ସମସ୍ତଙ୍କ ସହଯୋଗରେ ସଫଳ ହେବ ବୋଲି ଆଶାପ୍ରକଟ କରିଛନ୍ତି।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.