ପଞ୍ଚାୟତ କଲେଜ ଉଲୁଣ୍ଡାରେ ବିଶ୍ୱ ପରିବେଶ ଦିବସ ପାଳିତ ।

0 0

ସୁବର୍ଣ୍ଣପୁର ,୦୫/୦୬(ପିପିଟି):ମେରା ଯୁବ ଭାରତ, ସୋନପୁର ଏବଂ ବୀର ସୁରେନ୍ଦ୍ର ସାଏ କ୍ଲବ, ମାଟୁପାଲିର ମିଳିତ ଆନୁକୂଳ୍ୟରେ ପଞ୍ଚାୟତ କଲେଜ,ଉଲୁଣ୍ଡା ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ପରିବେଶ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁ “ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକନ୍ତୁ” ଉପରେ ଆଧାରିତ ଥିବା ବେଳେ, ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରି ପରିବେଶ ସୁରକ୍ଷା ଦିଗରେ ସମାଜକୁ ସଚେତନ କରିବା ପାଇଁ ବକ୍ତାମାନେ ଆହ୍ୱାନ ଜଣାଇଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପରିବେଶ ସଂରକ୍ଷଣ ଗତିବିଧି, ବଲାଙ୍ଗୀର ର ଧର୍ମନିରଞ୍ଜନ ପଣ୍ଡା ଯୋଗଦେଇ ପରିବେଶ ସୁରକ୍ଷାରେ ଯୁବପିଢ଼ିର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଉଲୁଣ୍ଡା ବନଖଣ୍ଡ ଅଧିକାରୀ ଦେବରାଜ ଛତ୍ରିଆ ଯୋଗଦେଇ ବନ ସଂରକ୍ଷଣ ଏବଂ ପ୍ଲାଷ୍ଟିକ ବର୍ଜନର ଆବଶ୍ୟକତା ଉପରେ ନିଜର ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଡ଼. ଯୁଧିଷ୍ଠିର ଖମାରୀ, ଅଧ୍ୟକ୍ଷ, ଗାୟତ୍ରୀ ଆବାସିକ ହାୟର ସେକେଣ୍ଡାରୀ ସ୍କୁଲ, ବୀରମହାରାଜପୁର ପରିବେଶ ସୁରକ୍ଷା ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ବୃକ୍ଷରୋପଣ, ପ୍ଲାଷ୍ଟିକର କମ୍ ବ୍ୟବହାର ଏବଂ ସଚେତନତା ପରିବାର ସ୍ତରରୁ ଆରମ୍ଭ ହେବା ଉଚିତ ବୋଲି ସେ କହିଥିଲେ । ଏହି ଅବସରରେ ବୃକ୍ଷରୋପଣ, ସ୍ୱଚ୍ଛତା ଅଭିଯାନ ଏବଂ ପ୍ଲାଷ୍ଟିକ ବ୍ୟବହାର ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମେରା ଯୁବ ଭାରତ, ସୋନପୁରର ଏମ୍.ଟି.ଏସ୍. କୃପାସିନ୍ଧୁ ସା ଉପସ୍ଥିତ ସମସ୍ତଙ୍କୁ ପରିବେଶ ସୁରକ୍ଷା ପାଇଁ ଶପଥ ପାଠ କରାଇଥିଲେ।କାର୍ଯ୍ୟକ୍ରମରେ ଅଧ୍ୟାପକ ବିକାଶ ଗଡୁଆ, ଗୁପ୍ତେଶ୍ୱର ଖୁରା ଓ କମ୍ପ୍ୟୁଟର ଶିକ୍ଷକ ଅଚ୍ୟୁତାନନ୍ଦ ବେହେରା ପ୍ରମୁଖ ଯୋଗଦେଇ ପରିବେଶ ସଚେତନତା ସମ୍ପର୍କରେ ନିଜ ମତାମତ ରଖିଥିଲେ।’ଦୟା ସରାବନୀ ଯୋଗ ଟ୍ରଷ୍ଟ’ର ସମ୍ପାଦକ ଡ଼. ହୃଷୀକେଶ ଦେହେରି ଅତିଥି ପରିଚୟ ପ୍ରଦାନ କରିବା ସହ ଯୋଗ ଓ ପଞ୍ଚତତ୍ତ୍ୱ ମାଧ୍ୟମରେ ପରିବେଶ ସନ୍ତୁଳନ ରକ୍ଷାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ନେଇ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଆଦେଶ ଥନାପତି ପ୍ରଥମ, ସୁନୀତା ପଧାନ ଦ୍ୱିତୀୟ ଏବଂ ଖୁସି ପର୍ଡିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ l ବିଜୟୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ବୃକ୍ଷ ଚାରା ପ୍ରଦାନ କରାଯାଇ ଆଜୀବନ ତାହାର ଯତ୍ନ ନେବାକୁ ଅନୁରୋଧ କରାଯାଇଥିଲା।ଶେଷରେ ମହାବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିବା ବେଳେ ବୀର ସୁରେନ୍ଦ୍ର ସାଏ କ୍ଲବର ସମ୍ପାଦକ ଶମ୍ଭୁରାଜ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.