ଭୁବନେଶ୍ୱର,୨୭/୦୫(ପିପିଟି):ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଚଳିତ ବର୍ଷ ରାଜ୍ୟରେ ସ୍ଵାଭାବିକଠାରୁ କମ୍ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଏବଂ ଏଲ୍ ନିନୋ (El Niño) ର ପ୍ରଭାବ ନେଇ କରାଯାଇଥିବା ଆକଳନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଏକ ଉଚ୍ଚସ୍ତରୀୟ ଭର୍ଚ୍ଚୁଆଲ୍ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଆସନ୍ତା ଖରିଫ୍ ୨୦୨୬ ଋତୁ ପାଇଁ ବ୍ୟାପକ ଭାବେ କୃଷି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଓ ପ୍ରସ୍ତୁତି ରଣନୀତି ଉପରେ ଆଲୋଚନା କରାଯାଇଛି।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନଗୁଡ଼ିକୁ ସମ୍ବୋଧିତ କରି ଉପ-ମୁଖ୍ୟମନ୍ତ୍ରୀ ସିଂହଦେଓ ଆସନ୍ତା ଋତୁରେ ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତ ବିଭାଗ, ଜିଲ୍ଲା କର୍ତ୍ତୃପକ୍ଷ ଏବଂ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ନିଜ ନିଜ ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ଓୟୁଏଟି କୁଳପତି ଡକ୍ଟର ପ୍ରଭାତ କୁମାର ରାଉଳ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, ଆଇଏମଡି (IMD) ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାପାତ୍ର, ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର ଏବଂ ଅନ୍ୟାନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।