ଯାଜପୁର, ୧୯/୦୫(ପିପିଟି): ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଆଜି ୨୦୨୬ ମସିହା ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ଶତକଡା ୯୫.୦୫ ରଖି ଜିଲ୍ଲାର ଗୌରବ ମଣ୍ଡନ କରିଥିବା ଶୁଭମ ସାହୁଙ୍କୁ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଓ ଜିଲ୍ଲାପାଳ ଅମ୍ବର କୁମାର କର ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶୁଭମଙ୍କ ମା ସୁମିତ୍ରା ସାହୁ ଉପସ୍ଥିତ ରହିଥିଲେ ଓ ଜିଲ୍ଲା ପ୍ରଶାସନ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ। ଶୁଭମ୍ ସାହୁଙ୍କ ଘର କାକୁଡିକୁଦ ଗ୍ରାମର ଓ ସେ ସତ୍ୟସାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଶୁଭମ ୨୦୨୩ ମସିହାରେ ତାଙ୍କ ପିତାଙ୍କୁ ହରାଇଥିଲେ ଓ ବହୁ ଅଭାବ ଅସୁବିଧାରେ ଥାଇ ମଧ୍ୟ ପାଠ ପଢ଼ାରେ ଧ୍ୟାନ ଦେଇ ଆଜି ସଫଳତା ପାଇଛନ୍ତି। ଭବିଷ୍ୟତରେ ଡାକ୍ତର ହୋଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବେ ବୋଲି କହିଥିଲେ। ତାଙ୍କ ମାତା ସୁମିତ୍ରା ସାହୁ ଏବେ ସ୍କୁଲ ରେ ପାଚିକା ସହାୟିକା ରୂପେ କାର୍ଯ୍ୟ କରୁଛନ୍ତି। ଶୁଭମର ପାଠପଢାରେ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ କରିବ ବୋଲି ଜିଲ୍ଲାପାଳ ଅମ୍ବର କୁମାର କର କହିଥିଲେ। ଏ ସମ୍ପର୍କରେ ଶିଶୁ ସୁରକ୍ଷା ୟୁନିଟକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଏହି କାର୍ଯ୍ଯକ୍ରମରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଦିବ୍ୟଭୁଷଣ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଯାଜପୁର ଆଇଟିଆଇ ଅଧ୍ୟକ୍ଷ ପ୍ରଭାତ କୁମାର ମଲ୍ଲିକ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ କୁଳମଣି ନାୟକ, ସ୍ଵେଚ୍ଛାସେବୀ ଅଶୋକ ଓଝା ପ୍ରମୁଖ ଉପସ୍ଥିତ ଥିଲେ ।