ମାଲକାନଗିରି, ୧୯/୦୫(ପିପିଟି):ଆସନ୍ତା ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଯୋଜନା ଉପରେ ବିସ୍ତୃତ ଆଲୋଚନା କରାଯାଇ ୨୬ ଦଫା ବିଶିଷ୍ଟ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି।
ବୈଠକର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଉପସ୍ଥିତ ସମସ୍ତ ଅତିଥି ଓ ଅଧିକାରୀମାନଙ୍କୁ ସ୍ୱାଗତ କରିଥିଲେ। ଏହା ସହିତ ସେ ଜିଲ୍ଲାର ପ୍ରକୃତିକ ବିପର୍ଯ୍ୟୟ ପରିଚାଳନା ରୂପରେଖ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଉଚ୍ଚସ୍ତରୀୟ ବୈଠକରେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ତୃଣମୂଳ ସ୍ତରରେ ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଚିତ୍ରକୋଣ୍ଡା ବିଧାୟକଙ୍କ ପ୍ରତିନିଧି ଗୋବିନ୍ଦ ପାତ୍ର ଏବଂ ସାଂସଦଙ୍କ ପ୍ରତିନିଧି ସଞ୍ଜୟ ସରକାର ପ୍ରମୁଖ ଯୋଗଦେଇ କ୍ଷେତ୍ରସ୍ତରୀୟ ସମସ୍ୟା ଓ ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କରେ ନିଜର ମତାମତ ରଖିଥିଲେ। ପ୍ରଶାସନ ପକ୍ଷରୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ ଉପ ଜିଲ୍ଲାପାଳ ଦୂର୍ଯ୍ୟୋଧନ ଭୋଇ ଉପସ୍ଥିତ ରହି ବିପର୍ଯ୍ୟୟ ପରିଚାଳନା ପାଇଁ ବ୍ଲୁ-ପ୍ରିଣ୍ଟ ଉପସ୍ଥାପନ କରିଥିଲେ।
ବୈଠକ ଅବସରରେ ମାଲକାନଗିରି ବିଧାୟକ ଶ୍ରୀ ମାଡ଼କାମୀ ପ୍ରଶାସନିକ ସଜବାଜକୁ ନେଇ କହିଛନ୍ତି, “ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଲାର ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ। ବିଶେଷ କରି ଆମ ଜିଲ୍ଲାର ଦୁର୍ଗମ ଏବଂ ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଜନସାଧାରଣ ଯେପରି ବନ୍ୟା ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହେଲେ ମଧ୍ୟ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ପୂର୍ବ ପ୍ରସ୍ତୁତିକୁ ସୁଦୃଢ଼ କରିବାକୁ ହେବ। ସରକାର ଓ ପ୍ରଶାସନ ମିଳିତ ଭାବେ ‘ଶୂନ୍ୟ ଜୀବନ ହାନି’ ର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି ଏବଂ ଜନସାଧାରଣଙ୍କ ସୁରକ୍ଷା ହିଁ ଆମର ପ୍ରଥମ ପ୍ରାଥମିକତା।” ଏହା ସହିତ ବିଧାୟକ ଶ୍ରୀ ମାଡ଼କାମୀ ବର୍ଷା ସମୟରେ ଜିଲ୍ଲାରେ ଆମ୍ବୁଲାନ୍ସ ସେବା ସୁନିଶ୍ଚିତ କରିବା, ବିପଦପୂର୍ଣ୍ଣ ନଦୀକୂଳ ଅଞ୍ଚଳରେ ଗାର୍ଡୱାଲ୍ ନିର୍ମାଣ କରିବା ଏବଂ ସମ୍ଭାବ୍ୟ ବିପଦରୁ ରକ୍ଷା ପାଇବା ପାଇଁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ଓ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଅତି କମ୍ ସମୟ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଜିଲ୍ଲାର ବିଭିନ୍ନ ନଦୀ ଓ କେନାଲ ବନ୍ଧରେ ପୂର୍ବରୁ ହୋଇଥିବା ଘାଇଗୁଡ଼ିକର ସ୍ଥାୟୀ ମରାମତି ଏବଂ ଦୁର୍ବଳ ସ୍ଥାନଗୁଡ଼ିକରେ ୨୪ ଘଣ୍ଟିଆ ଜଗାରଖା କରାଯିବ। ବନ୍ୟା ଜଳର ମୁକ୍ତ ପ୍ରବାହ ପାଇଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ନିଷ୍କାସନ ବ୍ୟବସ୍ଥାକୁ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଜିଲ୍ଲାର ସମସ୍ତ ବର୍ଷା ମାପକ କେନ୍ଦ୍ରକୁ ସଚଳ ରଖାଯିବା ସହ ଜିଲ୍ଲା ଓ ବ୍ଲକ ସ୍ତରରେ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯିବ, ଯାହା ଦ୍ୱାରା ଦୈନିକ ପାଣିପାଗ ସୂଚନା ଓ ବନ୍ୟା ବୁଲେଟିନ୍ ତୁରନ୍ତ ପ୍ରସାରଣ କରାଯାଇପାରିବ।
ଖାଲୁଆ ଏବଂ ସଂବେଦନଶୀଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ପାଇଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ଚିହ୍ନଟ କରାଯାଇଛି ଏବଂ ସେଠାରେ ପାନୀୟ ଜଳ, ଆଲୋକ ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଛି। ବିଚ୍ଛିନ୍ନ ସଂଯୋଗ ହେବାକୁ ଥିବା ଆଭ୍ୟନ୍ତରୀଣ ଓ ରଣନୀତିକ ଅଞ୍ଚଳରେ ପୂର୍ବରୁ ହିଁ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ, ଚାଉଳ ଏବଂ ଜୀବନ ରକ୍ଷାକାରୀ ସାମଗ୍ରୀ ଗଚ୍ଛିତ ରଖିବା ପାଇଁ ଅଗ୍ରୀମ ଚୁକ୍ତି ସରିଛି। ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଓଡ଼୍ରାଫ୍ , ଏନଡିଆରଏଫ୍,ଅଗ୍ନିଶମ ବାହିନୀ ଏବଂ ପ୍ରତିରକ୍ଷା ବାହିନୀକୁ ପ୍ରସ୍ତୁତ ରଖାଯିବା ସହ ପଲିଥିନ୍, କରତ କାଟିବା ମେସିନ୍ ଏବଂ ଟାୱାର ଲାଇଟ୍ ଭଳି ରିଲିଫ୍ ସାମଗ୍ରୀର ମହଜୁଦ ସ୍ଥିତି ଯାଞ୍ଚ କରାଯାଇଛି।
ବିପର୍ଯ୍ୟୟ ସମୟରେ ଟେଲିଫୋନ୍ ଲାଇନ୍ ସଚଳ ରଖିବା ଏବଂ ବିପର୍ଯ୍ୟୟ ପରେ ବିଦ୍ୟୁତ, ଟେଲିଯୋଗାଯୋଗ ଓ ରାସ୍ତାଘାଟ ଭଳି ଅତ୍ୟାବଶ୍ୟକ ସେବାକୁ ତୁରନ୍ତ ପୁନରୁଦ୍ଧାର କରିବା ପାଇଁ ଲାଇନ ବିଭାଗର ଅଧିକାରୀମାନଙ୍କୁ ବିଶେଷ ଦାୟିତ୍ୱ ଦିଆଯାଇଛି। ତୃଣମୂଳ ସ୍ତରରେ ସହାୟତା ପହଞ୍ଚାଇବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ଗୋଷ୍ଠୀ ଭିତ୍ତିକ ସଂଗଠନ ଏବଂ ପଞ୍ଚାୟତରାଜ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହ ସମନ୍ୱୟ ରକ୍ଷା କରାଯିବ। କ୍ଷୟକ୍ଷତିର ତୁରନ୍ତ ଆକଳନ ପାଇଁ ନିୟୋଜିତ ହେବାକୁ ଥିବା ସରକାରୀ କର୍ମଚାରୀମାନଙ୍କୁ ସ୍ୱେଚ୍ଛାକୃତ ପ୍ରଶିକ୍ଷଣ ଦିଆଯିବ ଏବଂ ମିଳିତ ଭାବେ ସମସ୍ତ ପରିସ୍ଥିତିର ସାମ୍ନା କରିବାକୁ ଆହ୍ୱାନ ଦିଆଯାଇଛି। ଜିଲ୍ଲା ଜରୁରକାଳୀନ ଅଧିକାରୀ ଦୀପ୍ତି ରଞ୍ଜନ ସାହୁଙ୍କ ସମେତ ବିଭାଗୀୟ କର୍ମଚାରୀ ବୈଠକ ଆୟୋଜନ କରିବାରେ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)