ଭୁବନେଶ୍ୱର,୧୮/୦୫(ପିପିଟି ):ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇ ବର୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ ସଫଳତା ଏବଂ ଉପଲବ୍ଧି ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରି ପ୍ରତିଟି ଲୋକ ପାଖେ ରାଜସ୍ୱ ସେବା ପହଞ୍ଚାଇବା ସୁନିଶ୍ଚିତ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ, “ଯାହା ଆମେ ଉପଲବ୍ଧି କରୁଛେ, ତାହା ଆମ ସଫଳତା ନୁହେଁ ; ବରଂ ଯେଉଁ ଯୋଜନା ଅଥବା ପଦକ୍ଷେପକୁ ସାଧାରଣ ଲୋକେ ସଫଳ ବୋଲି ବିବେଚନା କରୁଛନ୍ତି; ତାହା ହିଁ ଆମ ଉପଲବ୍ଧି” । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନର ବିଭିନ୍ନ ନୂତନ ପଦକ୍ଷେପ ଏବଂ କାର୍ଯ୍ୟପନ୍ଥା ସମ୍ପର୍କରେ ମଧ୍ଯ ଆଲୋଚନା କରାଯାଇଛି ।
ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାମାନଙ୍କର ନୋଡାଲ୍ ଅଫିସର୍ ଭାବେ ଦାୟିତ୍ଵ ଦିଆଯିବା ସହ ଆଗାମୀ ଦିନରେ ସେମାନେ ଉକ୍ତ ଜିଲ୍ଲାମାନଙ୍କର ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିଦର୍ଶନ ସମୟରେ ବରିଷ୍ଠ ଅଧିକାରୀ ଜିଲ୍ଲାମାନଙ୍କରେ ରାତ୍ରରହଣି ସହ ସରକାରଙ୍କ ରାଜସ୍ୱ ସେବା ସମ୍ପର୍କରେ ସାଧାରଣ ଲୋକଙ୍କ ମତାମତ ନେଇ ସେମାନଙ୍କୁ ବିଭାଗର ପ୍ରମୁଖ ଉପାଦେୟ ସେବା ସମ୍ପର୍କରେ ସଚେତନ କରାଇବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ରାଜସ୍ୱ ବିଭାଗ ପକ୍ଷରୁ ତହସିଲକୁ ତୃଣମୂଳସ୍ତରରେ ପହଞ୍ଚାଇବା ନିମନ୍ତେ ନୂତନ ପଦକ୍ଷେପସ୍ଵରୁପ ଖୁବ୍ ଶୀଘ୍ର ‘ଆମ ଗାଆଁରେ ଆମ ତହସିଲ୍’ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଗ୍ରାମ ଅଥବା ପଞ୍ଚାୟତସ୍ତରରେ ତହସିଲ୍ କ୍ୟାମ୍ପ୍ କୋର୍ଟ୍ କରାଯିବ ବୋଲି ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ବିଭିନ୍ନ କାମ ପାଇଁ ଲୋକମାନଙ୍କୁ ତହସିଲ୍ କାର୍ଯ୍ୟାଳୟ ଆସିବାକୁ ପଡୁଥିବା ବେଳେ ଏଣିକି କ୍ୟାମ୍ପ୍ କୋର୍ଟ ମାଧ୍ୟମରେ ଗାଆଁ-ଗାଆଁରେ ତହସିଲ୍ କାର୍ଯ୍ୟାଳୟର ଅଧିକାରୀମାନେ ଲୋକମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ସହ ପ୍ରଜା ଖାନା ସଂଶୋଧନ, ଡିମାର୍କେସନ୍ ଆଦି ବିଭିନ୍ନ ରାଜସ୍ୱ ସେବା ଯୋଗାଇଦେବେ । ଏଥିସହିତ କ୍ୟାମ୍ପ କୋର୍ଟ ମାଧ୍ୟମରେ ରାଜସ୍ୱ ସେବା ସମ୍ପର୍କିତ ଲୋକମାନଙ୍କ ଅଭିଯୋଗ ଶୁଣାଣି କରାଯାଇ ତ୍ଵରିତ ସେବା ପ୍ରଦାନ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ସହରାଞ୍ଚଳ ଚାଷ ଜମି କିସମ ପରିବର୍ତ୍ତନ ନିୟମକୁ ସରଳୀକରଣ କରାଯିବା ନେଇ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଗତ ଦୁଇ ବର୍ଷରେ ଓଡ଼ିଶା ରାଇଟ୍ ଟୁ ପବ୍ଲିକ୍ ସର୍ଭିସେସ୍ (ORTPS) ଆଇନ୍ ଆଧାରରେ ୨.୫ କୋଟିରୁ ଉର୍ଦ୍ଧ୍ଵ ରାଜସ୍ୱ ସେବା ଯୋଗାଇ ଦିଆଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ବୈଠକରେ ଆଲୋଚନା କରାଯାଇଛି । ଖୁବ୍ ଶୀଘ୍ର ବିସ୍ଥାପିତ ଲୋକମାନଙ୍କ ପାଇଁ ନୂତନ ପୁନର୍ବାସ ଓ ଥଇଥାନ ଆଇନର ରୂପରେଖ ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କମଳ ଲୋଚନ ମିଶ୍ର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।