ବ୍ରହ୍ୱପୁର,୧୩/୦୫(ପିପିଟି): ଦିଗପହଣ୍ଡି ତହସିଲ ଅନ୍ତର୍ଗତ କୋଟିନଡ଼ା ଗ୍ରାମ ପଞ୍ଚାୟତର ଡ଼ଙ୍କାରୀ ମୌଜାରେ ଥିବା ମା ତାରିଣୀ ପଥର କ୍ରସରର ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ଆଜି ସ୍ଥାନୀୟ ୫ଟି ଗ୍ରାମର ଗ୍ରାମବାସୀମାନେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଏସ୍ପିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆଜି ପୂର୍ବାହ୍ନରେ ଦିଗପହଣ୍ଡି ତହସିଲର ଜକରାପଲ୍ଲୀ, ଡ଼ଙ୍କାରୀ ଓ ୩ଟି ଆଦିବାସୀ ଗ୍ରାମ ଯଥା ସାନ ବୁରୁଡ଼ା, ବଡ଼ ବୁରୁଡ଼ା, ଚଢ଼େୟାଗରଦ ଆଦି ସମୁଦାୟ ପାଞ୍ଚଟି ଗ୍ରାମର ଶହ ଶହ ଗ୍ରାମବାସୀ ନିଜର ୫ ଦଫା ସମ୍ବଳିତ ଦାବିପତ୍ରରେ ସମ୍ପୃକ୍ତ କ୍ରସର ଯୋଗୁଁ ସେମାନଙ୍କର ଜୀବନ, ଜୀବିକା ଓ ପରିବେଶର କିପରି କ୍ଷତି ହେଉଛି,ତା’ର ଉଲ୍ଲେଖ କରିବା ସହିତ କ୍ରସରମାଲିକଙ୍କ ବେଆଇନ କାର୍ଯ୍ୟକଳାପର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ । ଏହା ସହ ସ୍ଥାନୀୟ ଗ୍ରାମବାସୀମାନେ କ୍ରସର ମାଲିକର ବେଆଇନ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ସ୍ଥାନୀୟ ପୋଲିସ କିପରି ତା’ର ବୋଲକରା ସାଜି ଲୋକଙ୍କୁ ତୁରନ୍ତ ଥାନାକୁ ଡକାଇ ମିଛ କେସ୍ ଓ ଗିରଫଦାରୀର ଧମକ ଦେଇ ଡ଼ରାଉଛି, ତା’ ବିରୁଦ୍ଧରେ ବ୍ରହ୍ୱପୁର ଏସ୍ପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡ଼ଙ୍କାରୀ ମୌଜାରେ ଥିବା ଏହି କ୍ରସର ପାଇଁ କଞ୍ଚାମାଲ ଓ ଉତ୍ପାଦିତ ଗୋଡ଼ିର ପରିବହନ ପାଇଁ ସମ୍ପୃକ୍ତ ମାଲିକ ଜକରାପଲ୍ଲି ରାସ୍ତା ଓ ବେଲଘାଇ କେନାଲ କଡ଼ରେ ଥିବା ଏମ୍ଆଇ ରାସ୍ତାକୁ ବ୍ୟବହାର କରୁଛନ୍ତି । କେନାଲ କଡରେ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ନିର୍ମିତ ଅଣ ଓସାରିଆ ରାସ୍ତାଟି କେବଳ କେନାଲର ରକ୍ଷଣା ବେକ୍ଷଣ ଓ ମରାମତି ପାଇଁ ଉଦ୍ଦିଷ୍ଟ ଥିବା ବେଳେ କ୍ରସର କର୍ତ୍ତୁପକ୍ଷ ତାକୁ ବେଆଇନ ଭାବେ ନିଜର ବ୍ୟବସାୟିକ ସ୍ଵାର୍ଥ ପାଇଁ ବ୍ୟବହାର କରୁଛନ୍ତି । ଉପରୋକ୍ତ ଗ୍ରାମ୍ୟ ରାସ୍ତାର ସର୍ବାଧିକ ଓଜନ ସହିବାର କ୍ଷମତା ୧୦ ଟନ୍ ବୋଲି ଧାର୍ଯ୍ୟ ହୋଇଥିବା ବେଳେ ସେମାନେ ପ୍ରତିଦିନ ବଡ଼ ବଡ଼ ହାଇୱା ଗାଡ଼ିରେ ୨୦-୩୦ ଟନ୍ ଓଜନର ପଥର ଓ ଗୋଡ଼ି ଦିନକୁ ୫୦-୭୦ ଥର ନବା ଆଣିବା କରୁଛନ୍ତି । ଅତ୍ୟଧିକ ମାଲ ପରିବହନ ଫଳରେ ଉପରୋକ୍ତ ରାସ୍ତା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହେବା ସହ ବାରମ୍ବାର ଛୋଟ ମୋଟ ଦୁର୍ଘଟଣା ଘଟି ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି । ଏପରିକି ସେହି ଅଣ ଓସାରିଆ ରାସ୍ତାରେ ହାଇୱା ପରି ବଡ଼ ବଡ଼ ମାଲ ବୋଝେଇ ଗାଡ଼ି ଯିବା ଫଳରେ ସେହି ରାସ୍ତା ଦେଇ ସ୍କୁଲ ପିଲା ଏପରିକି ସାଧାରଣ ଲୋକ ଯିବା ଆସିବା କରିବା କଷ୍ଟକର ହେଉଛି ।
ଏହାବ୍ୟତିତ ସମ୍ପୃକ୍ତ ମାଲିକ କ୍ରସର ଦେଇ ଜକରାପଲ୍ଲୀକୁ ଯାଇଥିବା ବେଲଘାଇ କେନାଲକୁ କ୍ରସରର ପଥର ଗୁଣ୍ଡ ଓ ଅନ୍ୟାନ୍ୟ ଅବର୍ଜନା ମାଟିକୁ ଜାଣିଶୁଣି ଅବରୋଧ କରିବା ଫଳରେ ତଳମୁଣ୍ଡରେ ଥିବା ଜକରାପଲ୍ଲୀର ଚାଷିମାନଙ୍କର ଶହ ଶହ ଭରଣ ଚାଷଜମି ଜଳସେଚନରୁ ବଞ୍ଚିତ ହେଉଛି । ପୁନଶ୍ଚ କ୍ରସରରୁ ବାହାରୁଥିବା ପଥରଗୁଣ୍ଡ ଚାରିପଟେ ଉଡ଼ିବା ଯୋଗୁଁ ତା’ର ଚାରି ପାଖରେ ଥିବା ଅଞ୍ଚଳ ପ୍ରଦୂଷିତ ହେଉଛି । ପଥରଗୁଣ୍ଡ ପଡ଼ିବା ଫଳରେ ପାଖ ଆଖରେ ଥିବା ଅନେକ ଚାଷଜମି ନଷ୍ଟ ହୋଇ ଚାଷ ପାଇଁ ଅନୁପଯୋଗୀ ହୋଇଯାଇଛି । ସେସବୁ ଜମିର ଚାଷିମାନେ ବର୍ଷ ବର୍ଷ ଧରି ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି । କ୍ରସରର ବଳକା ପଥରଗୁଣ୍ଡକୁ ମାଲିକ ନିରାପଦ ଭାବେ ବାହାର ନକରି ପ୍ରାୟତଃ ପାଖରେ ଥିବା ଚାଷ ଜମିକୁ ଛାଡ଼ିଦେବା ଫଳରେ ସେସବୁ ଜମି ଏବେ ଚାଷ ପାଇଁ ଅନୁପଯୋଗୀ ହୋଇଯାଇଛି । ଏଭଳି ପରିସ୍ଥିତିରେ କ୍ଷତିଗ୍ରସ୍ତ ଗ୍ରାମବାସୀମାନେ ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ନିଜର ଅସୁବିଧା ସମ୍ପର୍କରେ ବାରମ୍ବାର ଅବଗତ କରାଇଲେ ମଧ୍ୟ ସେମାନଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଓଲଟା ସେମାନେ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ଡ଼ରାଇବା ଓ ଧମକାଇବା ଦେଖାଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ଅର୍ଜୁନ ବିଷୋୟୀ, ନନ୍ଦ ଜେନା,ସନ୍ତୋଷ ଗୌଡ଼,ରାମଚନ୍ଦ୍ର ବିଷୋୟୀ,କାଶୀନାଥ ଗୌଡ଼,ଚଉ ଗୌଡ଼,କାଳିଆ ଗୌଡ଼, ଇଶ୍ୱର ବିଷୋୟୀ,ଭୀମସେନ ବିଷୋୟୀ,ଲଡ଼ୁ କିଶୋର ଡ଼ାକୁଆ, ଗଜେନ୍ଦ୍ର ସାହୁ,ବଳରାମ ଗୌଡ଼,ଉତ୍ତମ ନାୟକ,ବିପ୍ର ମଲ୍ଲିକ,ଜଗା ମଲ୍ଲିକ,ମଣ୍ଟୁ ଜେନା,କେ.କେଶବ ଆଚାରୀ,ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ । ବ୍ରହ୍ମପୁର ଉପ ଜିଲ୍ଲାପାଳ କ୍ରସର ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ ପାଇଁ ଦିଗପହଣ୍ଡି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବା ସହ ରିପୋର୍ଟର ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଓ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ ମଧ୍ୟ ସେମାନଙ୍କୁ ସହଯୋଗ ଓ ସମର୍ଥନ କରିଥିଲେ ।