ଭଞ୍ଜନଗର, ୧୩/୦୫(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ବନ ସୁରକ୍ଷା ସମିତି ଗୁଡ଼ିକର ବିକାଶ ପାଇଁ ଅନେକ ଯୋଜନା ହାତକୁ ନିଆଯାଇଛି। ଫଳରେ ବହୁ ମହିଳା ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଏଥିସହ ବନ ସୁରକ୍ଷା ସମିତି ଗୁଡ଼ିକର ମଧ୍ୟ ବିକାଶ ହୋଇପାରିଛି।
ଏହିଭଳି ପରିସ୍ଥିତିରେ ବୁଧବାର ଘୁମୁସର ଉତ୍ତର ବନଖଣ୍ଡର ଲଘୁ ବନଜାତ ଦ୍ରବ୍ୟର ଉପଯୁକ୍ତ ବିକ୍ରି ସହ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ବିକ୍ରିର ଶୁଭାରମ୍ଭ କରାଯାଇଛି।ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଞ୍ଜନଗର ବ୍ଲକ ଛକରେ ହୋଇଥିବା ବନାୟନ କେନ୍ଦ୍ରକୁ ଉଦଘାଟନ କରିଥିଲେ। ଏହି ଅବସରରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଆଲୋଚନା ସମୟରେ କହିଛନ୍ତି ଯେ, ମାଣ୍ଡିଆରୁ ପ୍ରସ୍ତୁତ ସମସ୍ତ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ରାଜ୍ୟ ସରକାର ମଣ୍ଡିଆର ଉତ୍ପାଦନ ବୃଦ୍ଧି ସହ ତାର ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେଇଛନ୍ତି। ବନ ବିଭାଗ ପକ୍ଷରୁ ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ସ୍ବାଗତଯୋଗ୍ୟ। ଏହାଦ୍ବାରା ଅନେକ ମହିଳା ଉପକୃତ ହେବେ। ମହିଳାମାନଙ୍କ ବିକାଶ ହେଲେ ଦେଶ ଓ ରାଜ୍ୟର ବିକାଶ ହୋଇପାରିବ। ଏଥିସହ ଆଜି ଉଦଘାଟିତ ହୋଇଥିବା ଏହି କେନ୍ଦ୍ରରେ ଘୁମୁସର ବନଖଣ୍ଡରୁ ମିଳୁଥିବା ବିଭିନ୍ନ ପ୍ରକାର ଲଘୁ ବନଜାତ ଦ୍ରବ୍ୟ ଏଠାରେ ବିକ୍ରି ହେବ। ଏହାଦ୍ବାରା ବହୁ ଲୋକ ଉପକୃତ ହେବେ ବୋଲି ବିଧାୟକ ନାୟକ କହିଥିଲେ।
ଏହି ଅବସରରେ ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ନୀଳମାଧବ ପାତ୍ର, ଡି ଏଫ ଓ ହିମାଂଶୁ ଶେଖର ମହାନ୍ତି, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ,ଏସିଏଫ ବିବେକ ଦାସ, ବିମଳ କୁମାର ପ୍ରଧାନ, ଭାଜପା ନେତା ବିଷ୍ଠୁ ପ୍ରସାଦ ପ୍ରଧାନ,ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ, ବାବୁନି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଭାଗ ୨ ମାଧ୍ୟମରେ ଉକ୍ତ କେନ୍ଦ୍ର ନିର୍ମାଣ ହୋଇଛି। ଉକ୍ତ କେନ୍ଦ୍ରର ଦାୟିତ୍ୱ କୋଟିବିରାଡ଼ି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଓ ବନ ସୁରକ୍ଷା ସମିତି ନେଇଛି। ସେଠାରେ ମଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଦୈନନ୍ଦିନ ବିକ୍ରି ହେବ। ଏଥିସହ ଜଙ୍ଗଲରୁ ଉତ୍ପାଦିତ ଲଘୁ ବନଜାତ ଦ୍ରବ୍ୟ ଯଥା ଝୁଣା, ମହୁ, ଖଲି,
ହରିଡ଼ା, ବାହାଡ଼ା ସମେତ ବିଭିନ୍ନ ବନ ସୁରକ୍ଷା ସମିତି ପକ୍ଷରୁ ଉତ୍ପାଦିତ ହେଉଥିବା ପାମ୍ପଡ, ବଡ଼ି, ଆଚାର, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ, ପ୍ଲେଟ୍ସ ସମେତ ବିଭିନ୍ନ ଜିନିଷ ଏଠାରେ ସୁଲଭ ଦରରେ ବିକ୍ରି ହେବ।
ରିପୋର୍ଟ -(ଜେ.କେ ପଟ୍ଟନାୟକ)