ପୋଲସରା , ୧୨/୦୫(ପିପିଟି): ପୋଲସରା ବ୍ଲକ ହାତୀଓଟ ଗ୍ରାମ ଠାରେ ପୂର୍ବତନ ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପିତା ଗଙ୍ଗାଧର ସାହୁଙ୍କ ଦ୍ଵାଦଶ ପୁଣ୍ୟତିଥି ଗତକାଲି ପାଳିତ ହୋଇଯାଇଛି। ପରିବାର ପକ୍ଷରୁ ସ୍ଥାନୀୟ ମୁକ୍ତ କ୍ରୀଡାଙ୍ଗନ ଠାରେ ଏହି ସ୍ମୃତି ଚାରଣ ସଭା କରାଯାଇଥିଲା। ଚଳିତ ମାସ ୧୧ ତାରିଖ ସୋମବାର ନବମୀ ତିଥିରେ ଆୟୋଜିତ କାର୍ଯ୍ୟକ୍ରମରେ ବର୍ତ୍ତମାନ ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ପୂର୍ବତନ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟିକା ଅଞ୍ଜଳୀ ସ୍ୱାଇଁ, ସୂର୍ଯ୍ୟମଣି ବୈଦ୍ୟ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ,ସୁବାସ ମହାରଣା, ଭୃଗୁ ବକ୍ସିପାତ୍ର, ପୂର୍ବତନ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ପଦ୍ମନାଭ ବେହେରା, ପୂର୍ବତନ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ପ୍ରମୁଖଙ୍କ ସମେତ ଅନେକ ବରେଣ୍ୟ,ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ଯୋଗଦେଇ ସର୍ବପ୍ରଥମେ ସ୍ଵର୍ଗତଙ୍କ ଫଟୋଚିତ୍ରରେ ଭକ୍ତିପୂତ ଭାବେ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରିବା ସହିତ ଗଙ୍ଗାଧର ସାହୁ ଜଣେ ଉତ୍ତମ ସଂଗଠକ, ଜ୍ଞାନୀ ଗୁଣୀ ସମ୍ପନ୍ନ ବ୍ୟକ୍ତି ଥିଲେ। ଏଥିସହ ଅନେକ ଶିକ୍ଷାନୁଷ୍ଠାନ ଗଢି ତୋଳିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା ବୋଲି କହିବା ସହ ଅମର ଆତ୍ମାର ସଦଗତି କାମନା ସ୍ୱରୂପ ଦୁଇ ମିନିଟ ନୀରବ ପ୍ରାର୍ଥନା ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିବା ବେଳେ ଏଥିରେ ଶିକ୍ଷାବିତ୍, ନେତୃବୃନ୍ଦ,ସମାଜସେବୀ,ବିଭିନ୍ନ ସଂଗଠକ ଗଣମାଧ୍ୟମ, ଆଇନଜୀବୀ, ସ୍ୱେଚ୍ଛାସବୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଏଵଂ ଶୋକ ସମବେଦନା ଜ୍ଞାପନ କରିବାର ଦେଖିବାକୁ ମିଳିଥିଲା। ଶେଷରେ ଏହି ଶ୍ରଦ୍ଧାସୁମନ କାର୍ଯ୍ୟରେ ଯୋଗଦେଇଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ସ୍ଵର୍ଗତଙ୍କ ପରିବାର ତରଫରୁ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରାଯାଇଛି।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା