କବିତାମାଳା ‘ଅକ୍ଷରା’ ଲୋକାର୍ପିତ।

0 227

ପୋଲସରା,୧୦/୦୫ (ପିପିଟି): କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବିଚିତ୍ର କାବ୍ୟ ବୈଦେହୀଶ ବିଳାସ କାବ୍ୟର ଲୋକାର୍ପଣ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼୍‌ସ୍‌ରେ ସ୍ଥାନିତ ଅବନା ଅନୁପ୍ରାସ କବିତାମାଳା ‘ଅକ୍ଷରା’ର କବି କୁଳମଣି ସାହୁଙ୍କ ଦ୍ବାରା ସମ୍ପାଦିତ ଏବଂ ଅଧ୍ୟାପକ ମନୋଜ କୁମାର ସାହୁଙ୍କ ଦ୍ବାରା ପ୍ରକାଶିତ ଏହି ବିଶାଳ ଗ୍ରନ୍ଥ ଉତ୍ସବର ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ବାରା ଲୋକାର୍ପିତ କରାଯାଇଛି । ପ୍ରଜ୍ଞା ପ୍ରଦୀପ ଫାଉଣ୍ଡେସନ୍, କଳମ୍ବ ଆନୁକୂଲ୍ୟରେ ପୋଲସରା ପାଟିଗଡ଼ ରୋଡ଼୍ ସ୍ଥିତ ମଧୁବୈଶ୍ଯ ସମାଜ କଲ୍ଯାଣ ମଣ୍ଡପ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାଳଜୟୀ କାବ୍ୟ ବୈଦେହୀଶ ବିଳାସକୁ ବିଶ୍ବର ଶ୍ରେଷ୍ଠ କାବ୍ୟ ଭାବରେ ଅଭିହିତ କରିବା ସହିତ ବାଲ୍ମୀକି ରାମାୟଣ ଆଧାରିତ ଏହି ମହାନ୍ ଗ୍ରନ୍ଥ ପ୍ରତ୍ୟେକ ଓଡ଼ିଆ ପରିବାରରେ ସ୍ଥାନିତ ଓ ସଂରକ୍ଷିତ ହେବା ନିମନ୍ତେ ଆଶା ପୋଷଣ କରିଛନ୍ତି । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ବିଶିଷ୍ଟ ଭଞ୍ଜ ସାହିତ୍ୟ ଗବେଷକ ଶ୍ରୀଯୁକ୍ତ କମ୍ବୁପାଣି ସାମନ୍ତ ମୁଖ୍ୟ ବକ୍ତା ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗଞ୍ଜାମ ବିଭାଗ ସଙ୍ଘ ଚାଳକ ଭଗବାନ ତ୍ରିପାଠୀ ବରେଣ୍ୟ ଅତିଥି ତଥା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବୈଦେହୀଶ ବିଳାସର ମହିମା ଓ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ । ପ୍ରଜ୍ଞା ପ୍ରଦୀପ ଫାଉଣ୍ଡେସନ୍‌ର ସଭାପତି ଓ ପୁସ୍ତକ ପ୍ରକାଶକ ମନୋଜ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସହଯୋଗୀ ପ୍ରକାଶକ ରୂପରେ  ରତନ କୁମାର ପ୍ରଧାନ ଏବଂ ମଞ୍ଚ ପରିଚାଳକ ଭାବରେ ସଦାଶିବ ନାୟକ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମନ୍ତ୍ରୀ ମଲ୍ଲିକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ । କଣ୍ଠଶିଳ୍ପୀ ମହାତପା ସାହୁ ଏବଂ ତୁଳସୀ ବିଷୋୟୀ ଭଜନ ଗାନ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ କବି ବୃନ୍ଦାବନ ପ୍ରଧାନ । ଅଞ୍ଚଳର ଶତାଧିକ ଭାଷାସାହିତ୍ଯ ପ୍ରେମୀ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହିତ ବହୁ ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରିଥିଲେ । ଓଡ଼ିଆ ଅସ୍ମିତାର ପ୍ରତୀକ ଭାବରେ ଏହି ରାମକାବ୍ୟ ଓଡ଼ିଆ ପାଠକସମାଜରେ ବିଶେଷ ଆଦୃତି ଲାଭ କରିବ ବୋଲି ମତ ପ୍ରକାଶ ପାଇଥିଲା ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.