ବର୍ତ୍ତମାନର ସାମ୍ବାଦିକ ଓ ସାମ୍ବାଦିକତା ।

0 10

ବର୍ତ୍ତମାନ ସାମ୍ବାଦିକ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଉଛି।ପ୍ରିଣ୍ଟ ମିଡିଆ ତୁଳନାରେ ଓ୍ବେବ୍ ଚ୍ୟାନେଲ ବେଶି। ଯାହା ପାଖରେ ଖଣ୍ଡେ ମୋବାଇଲ ଅଛି,ସେ ଓ୍ବେବ୍ ଚ୍ୟାନେଲ ସାମ୍ବାଦିକ। ୱେବ୍ ଚ୍ୟାନେଲ ପାଇଁ ସ୍ଯାଟେଲାଇଟ୍୍ର ଆବଶ୍ୟକ ନାହିଁ। ଫେସବୁକ , ହ୍ଵାଟସଆପ ଆଉ ୟୁଟ୍ୟୁବ ରେ ପୋଷ୍ଟ କଲେ ହେଲା। ସବୁଠି ମାଳ ମାଳ ବୁମ୍ ଧରି ଓ୍ବେବ୍ ସାମ୍ବାଦିକଙ୍କ ଭିଡ଼। ପୂର୍ବ ପରି ସ୍ଯାଟେଲାଇଟ୍ ସାମ୍ବାଦିକଙ୍କ ଆଉ କାଟତି ନାହିଁ ।ବାକି ରହିଲା ପ୍ରିଣ୍ଟ ମିଡିଆ ବା ଖବର କାଗଜ କଥା। ଓଡ଼ିଶାରେ ହାତ ଗଣତି ଖବରକାଗଜ ପ୍ରିଣ୍ଟ ହୋଇ ବିଭିନ୍ନ ଜିଲ୍ଲାକୁ ଯାଉଛି। ଖବର କାଗଜର ପାଠକ ସଂଖ୍ୟା ଯଦିଓ ପୂର୍ବ ତୁଳନାରେ ହ୍ରାସ ପାଇଛି, ଖବରକାଗଜ ପଢ଼ିବା ନିଶା ଗୋଟେ ଅଲଗା।
ବର୍ତ୍ତମାନ ତିନି ପ୍ରକାର ସାମ୍ବାଦିକ ଦେଖିବାକୁ ମିଳୁଛି। ଖବର କାଗଜ,ଓ୍ବେବ ଆଉ ସ୍ଯାଟେଲାଇଟ୍ ବା ବୈଦ୍ୟୁତିକ ସାମ୍ବାଦିକ।
ସବୁଠାରୁ ଓ୍ବେବ ବା ମୋବାଇଲ ସାମ୍ବାଦିକ ମାଳ ମାଳ। ଏହା କୁ କିଏ ଦେଖୁ ବା ନଦେଖୁ, ଏହାର ସାମ୍ବାଦିକ ପ୍ରବଳ ଗହଳି। କୌଣସି ସାମ୍ବାଦିକ ସମ୍ମିଳନୀ ହେଲେ ସବୁ ଚେୟାର ଦଖଲ, ଏମାନଙ୍କର । ପ୍ରିଣ୍ଟ ମିଡିଆ ଓ ଇଲୋଟ୍ରୋନିକ ମିଡିଆ ସାମ୍ବାଦିକମାନଙ୍କୁ କିଏ ପଚାରେ। ଓ୍ବେବ ଚ୍ୟାନେଲ ଖୋଲିବା ଯେମିତି ସହଜ, ସେମିତି ସାମ୍ବାଦିକ ନିଯୁକ୍ତିରେ କୌଣସି ମାନଦଣ୍ଡ ନାହିଁ। ଯୋଗ୍ୟତା କିଏ ପଚାରେ। ମୋବାଇଲ୍ ରେକର୍ଡ କରି ପଠାଇଲେ,କାମ ଶେଷ।
ବର୍ତ୍ତମାନ ଗଣମାଧ୍ୟମର ଗୁରୁତ୍ବ ହ୍ରାସ ପାଇଛି। ଆଉ କିଏ ଗଣ ମାଧ୍ୟମ ଖବରକୁ ଗୁରୁତ୍ୱ ଦେଉ ନାହାନ୍ତି। ଯଦି କୌଣସି ଖବର ପ୍ରସାରଣ ହେଲା, ଓଲଟା ସାମ୍ବାଦିକ ଉପରେ ଦୋଷାରୋପ। ବର୍ତ୍ତମାନ ସାମ୍ବାଦିକଙ୍କ ଖବରକୁ ପ୍ରଶାସନ ମଧ୍ୟ ଗୁରୁତ୍ୱ ଦେଉନି। ଆଗରୁ ଖବର ବାହାରିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପେପର କଟିଂ କରି, ଫାଇଲ୍ ଧରି ଜିଲ୍ଲାପାଳଙ୍କ ନିକଟକୁ ଯାଉଥିଲେ। କୌଣସି ବିଭାଗ ଉପରେ ଦୋଷାରୋପ ଥିଲେ,ତାର କୈଫୟତ ତଲବ କରୁଥିଲେ। ଏବେ
ସେ ସବୁ ନାହିଁ। ତେଣୁ ବିଭଗୀୟ ଅଧିକାରୀ ମାନେ ଯେତେ ଦୁର୍ନୀତି କରନ୍ତୁ ବା ଶୋଇ ଶୋଇ ଦରମା ନିଅନ୍ତୁ, ଜିଲାପାଳଙ୍କୁ
କିଛି ଫରକ୍ ପଡୁନି।
ବର୍ତ୍ତମାନ ଗଣମାଧ୍ୟମ ଗଳି କନ୍ଦିରେ ଋତୁ ଫୁଟିଲା ପରି ମୁଣ୍ଡ ଟେକିଛି। ହେଲେ ସମାଜରୁ ଦୁର୍ନୀତି ହଟି ନି କି ଅପରାଧ ମଧ୍ୟ ହଟିନି।ଗଣ ମାଧ୍ୟମ ଯେତେ ସୁଦୃଢ଼ ହେଲେ ମଧ୍ୟ ସରକାରୀ ବା ବେସରକାରୀ ଲୋକଙ୍କ ମାନସିକତା ପରିବର୍ତ୍ତନ ହୋଇ ନାହିଁ। ଏଣୁ ସାମ୍ବାଦିକତା ଧିରେ ଧିରେ କାମଳ ହେବାରେ ଲାଗିଛି। କାହାର ଡର ଭୟ କିଛି ନାହିଁ। ଅନ୍ୟ ପକ୍ଷରେ ଗଣମାଧ୍ୟମ ଆଉ
ସତ୍ଯ ଓ ନିରପେକ୍ଷ ନାହିଁ। ବ୍ୟକ୍ତିଗତ ସ୍ବାର୍ଥ ବା ଗଣମାଧ୍ୟମର ସ୍ବାର୍ଥ ଉପରେ ବେଶି ଗୁରୁତ୍ୱ ଦେଉଛି। ଫଳରେ ଗଣମାଧ୍ୟମ ଉପରୁ ଲୋକଙ୍କ ବିଶ୍ୱାସ ବା ଆସ୍ଥାଭାଜନ ହୋଇ ପାରୁନାହିଁ।
ବର୍ତ୍ତମାନର ସାମ୍ବାଦିକମାନେ ନିଜର ସମାଜର ସ୍ବାର୍ଥ ଅପେକ୍ଷା ନିଜର ସ୍ବାର୍ଥ କୁ ଅଧିକ ପ୍ରାଧାନ୍ୟ ଦେଇ ଥାନ୍ତି। ଫଳରେ ଜନ ସାଧାରଣଙ୍କ ଠାରୁ ଲୋକ ପ୍ରିୟତା ହ୍ରାସ ପାଉଛି। ପୂର୍ବରୁ ସାମ୍ବାଦିକଙ୍କୁ ଯେଉଁ ସମ୍ମାନ ଓ ମର୍ଯ୍ୟାଦା ମିଳୁଥିଲା, ଆଜି ସେ ସବୁ ନାହିଁ। ସାମ୍ବାଦିକଙ୍କୁ ଲୋକମାନେ ଘୃଣା ଚକ୍ଷୁରେ ଦେଖିଲେଣି। ସାମ୍ବାଦିକଙ୍କୁ ଲୋକମାନେ ବାଟ ଘାଟରେ ସମାଲୋଚନା କରିବାକୁ ପଛାନ୍ତି ନାହିଁ। କେତେକ ସ୍ଥାନରେ ଆକ୍ରମଣର ଶିକାର ହୋଇଥାନ୍ତି। ବେଳେ ବେଳେ ଅସାଜିକ ବ୍ୟକ୍ତିଙ୍କ ଦ୍ୱାରା ହତ୍ୟା ଭଳି ଜଘନ୍ୟ ଘଟଣା ଦେଖିବାକୁ ମିଳିଥାଏ । ସାମ୍ବାଦିକତା କରିବାକୁ ହେଲେ ବ୍ୟକ୍ତିଗତ ସ୍ବାର୍ଥକୁ
ଜଳାଞ୍ଜଳି ଦେବାକୁ ହେବ। ଏହାକୁ ଅର୍ଥ ରୋଜଗାର ପନ୍ଥା ଭାବିବା ଅନୁଚିତ। ଯିଏ ଅର୍ଥ ଆଉ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦେଇଥାଏ, ତାଙ୍କ ଠାରୁ ସତ୍ଯ ଓ ନିରପେକ୍ଷ ସମ୍ବାଦ ଆଶା କରିବା ବୃଥା। ଅଧିକାଂଶ ସାମ୍ବାଦିକ ସେମାନଙ୍କ ସୀମାରେ ଉଲଂଘନ କରିଥାନ୍ତି। ଏଣୁ ସାମ୍ବାଦିକମାନେ ସମ୍ମାନର ପାତ୍ର ନ ହୋଇ ଘୃଣାର ସରବ୍ଯ ହୋଇ ଥାନ୍ତି। ବର୍ତ୍ତମାନ ସାମ୍ବାଦିକତା ମୂଲ୍ୟ ହୀନ ହୋଇଗଲାଣି। ଭଲ ଲୋକ ବା ଉଚ୍ଚ ଶିକ୍ଷିତ ବ୍ୟକ୍ତି
ଆଉ ସାମ୍ବାଦିକ ହେବାକୁ ପସନ୍ଦ କରନ୍ତି ନାହିଁ। ବର୍ତ୍ତମାନ ଅଧିକାଂଶ ଅପରାଧିକ କାର୍ଯ୍ୟକଳାପ ରେ ଜଡିତ ବ୍ୟକ୍ତିମାନେ ସାମ୍ବାଦିକ କ୍ଷେତ୍ରକୁ ଓହ୍ଲାଇ ଆସିଲେଣି। ଯେଉଁମାନଙ୍କର ଶିକ୍ଷାଗତ ଯୋଗ୍ୟତା ମେଟ୍ରିକ୍ ବା ମେଟ୍ରିକ୍ ଫେଲ୍ ସେମାନେ ସାମ୍ବାଦିକ ବୋଲି ପରିଚୟ ଦେଉଛନ୍ତି। ଅନ୍ୟପକ୍ଷରେ ଠିକାଦାର, ସପ୍ଲାୟର, ଦଲାଲ୍ ଆଉ ଜମି ମାଫିଆମାନେ ସାମ୍ବାଦିକ ହେବାର ନଜିର ଆସିଲାଣି। ତେଣୁ ସାମ୍ବାଦିକର ମର୍ଯ୍ୟାଦା ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି। ଯେମିତି ଭଲ ଲୋକ ବର୍ତ୍ତମାନ ନେତା ହେବାକୁ ଇଛା ପ୍ରକାଶ କରନ୍ତି ନାହିଁ, ସେହି ପରି ଭଲ ଲୋକ ଆଉ ସାମ୍ବାଦିକ ହେବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ।
ଆଜି କାଲି ସାମ୍ବାଦିକତା ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତି କଲାଣି। ଏଥି ପାଇଁ ଦାୟୀ କିଏ ? ଏହାକୁ ସମୀକ୍ଷା କରିବାର ସମୟ ଆସିଛି। ଯଦି ଭଲ ଲୋକ ବା ଉଚ୍ଚ ଶିକ୍ଷିତ ବ୍ୟକ୍ତି ସାମ୍ବାଦିକ କ୍ଷେତ୍ରକୁ ଆସିବା ଉଚିତ, ଏଥି ପାଇଁ ସାକ୍ଷାତକାର ହେବା ଆବଶ୍ୟକ। ମୁଖ୍ୟ ସମ୍ପାଦକ ଏହାକୁ ଅଧିକ ଗୁରୁତ୍ୱ ଦେବା ଉଚିତ। ବର୍ତ୍ତମାନ ପାଞ୍ଚ ହଜାର ଟଙ୍କା ଦେଲେ ୱେବ୍ ସାମ୍ବାଦିକ ଆଉ ୨୦/୩୦ କପି ପେପର ବିକିଲେ ପ୍ରିଣ୍ଟ ମିଡିଆର
ସାମ୍ବାଦିକ ହେବା ଗଣମାଧ୍ୟମ ପ୍ରତି ଏକ ଉପହାସ ମାତ୍ର। ଏହି ଧାରାକୁ ପରିବର୍ତ୍ତନ ଓ ପରିମାର୍ଜିତ ହେବା ଆବଶ୍ୟକ। ନତୁବା ଗଣ ମାଧ୍ୟମ ଭ୍ରଷ୍ଟ ଓ ନଷ୍ଟ ଚରିତ୍ର ଲୋକଙ୍କ କ୍ରୀଡ଼ନକ ଭାବେ କାର୍ଯ୍ୟ କରି ସମାଜରୁ କୁସଂସ୍କାର ହଟାଇବା ପରିବର୍ତ୍ତେ ସମାଜରେ ଏକ ଅସ୍ଥିର ରୁଗ୍ଣ ବାତାବରଣ ସୃଷ୍ଟି କରିବ।

(ଆଲେଖ୍ୟ: କେଶବ ଚନ୍ଦ୍ର ନାୟକ, ଏମ୍.ଏ, ସମାଜ ବିଜ୍ଞାନ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave A Reply

Your email address will not be published.