ଆଠଗଡ଼,୨୮/୪ ହାତୀଙ୍କ ଯୋଗୁଁ ଆଠଗଡ଼ – ଭୁବନେଶ୍ୱର ରାସ୍ତା ଡାଳଖାଇ ଠାରେ ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହେଉଛି।ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ସୁକାଶନ ସଂରକ୍ଷିତ ଜଙ୍ଗଲରେ ରହୁଥିବା ହାତୀପଲ ସବୁଦିନ ପରି ସୂର୍ଯ୍ୟାସ୍ତ ପରେ ରାସ୍ତା ପାର ହେବା ବେଳେ ଅଧଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଗାଡ଼ି ମୋଟର ବନ୍ଦ ହୋଇଯାଇଥିଲା। ବନ ବିଭାଗ କର୍ମଚାରୀ ଓ ହାତୀ ଜଗୁଆଳି ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନକୁ ଅଟକାଇବା ପରେ ୨୨ଟିକିଆ ହାତୀପଲ ରାସ୍ତା ପାର ହୋଇଥିଲେ।ମେଘା ପଟରେ ହାତୀପଲ ଖରାଦିନିଆ ଡାଳୁଅ ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଦେବା ଆଶଙ୍କାରେ ଚାଷୀମାନେ ବନକର୍ମଚାରୀଙ୍କ ସହ ଜଗି ରହୁଛନ୍ତି।ଏଥି ସହ ରାଜନଗର,ମେଘା,ବେଣ୍ଟପଦା,ମହକାଳବସ୍ତ ପଞ୍ଚାୟତରେ ବହୁ ପରିବା ଚାଷ ଫସଲ ହାତୀ ଖାଇବା ସହ ନଷ୍ଟ କରୁଛନ୍ତି।ରାଜନଗର ବିଟ୍ ବନପାଳ ସୁଶୀଲ କୁମାର ଜେନା, ବନରକ୍ଷୀ ଅଙ୍କିତା ମହାନ୍ତି ଓ ହାତୀ ଜଗୁଆଳି ହାତୀଙ୍କୁ ରାସ୍ତା ପାର କରାଇବା ସହ ସେମାନଙ୍କ ଗତିବିଧି ଉପରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ନଜର ରଖିଛନ୍ତି।