ଭାଣିଜୀର ତଣ୍ଟିଚିପି ମାରିଦେଲା ମାଇଁ ।

0 229

ଭଞ୍ଜନଗର, ୦୯/୦୪(ପିପିଟି):ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମଣପଲ୍ଲୀରେ ଜଣେ ୯ ବର୍ଷର ନାବାଳିକାଙ୍କୁ ବୀଭତ୍ସ ଭାବେ ତଣ୍ଟିଚିପି ହତ୍ୟା କରାଯାଇଛି। ମୃତକ ଜଣକ ବୁଗୁଡା ଥାନା ଅଧିନ କାନକୁଟୁରୁ ଗ୍ରାମର ମଙ୍ଗୁଳୁ ମହାରଣାଙ୍କ ଝିଅ ଅର୍ଚ୍ଚନା ମହାରଣା(୯)। ତାଙ୍କ ଶବ ମାମୁ ଘର ବାରିପଟ ପାଇଖାନାରୁ ଜରିପାଲ ଘୋଡ଼ା ଅବସ୍ଥାରେ ପୁଲିସ ଜବତ କରିଛି। ଏହି ଘଟଣାରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତାଙ୍କ ମାଇଁ ବିଦ୍ୟା ଭାରତୀ ମହାରଣା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଗୁରୁବାର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି।

ସୁଚନାନୁସରେ, ବୁଗୁଡା ବ୍ଳକ୍ କାନକୁଟୁରୁ ଗ୍ରାମର ମୁଳ ବାସିନ୍ଦା ମଙ୍ଗୁଳୁ ମହାରଣାଙ୍କ ଝିଅ ଅର୍ଚ୍ଚନା।ତାଙ୍କ ସପରିବାର ଭୁବନେଶ୍ୱରରେ ରୁହନ୍ତି।ଗତ କିଛି ଦିନ ହେବ ମଙ୍ଗୁଳୁ ଙ୍କ ପତ୍ନୀ ଗାୟତ୍ରୀ ଦୁଇ ଝିଅଙ୍କୁ ଧରି ବାପ ଘର ଲଷ୍ମଣପଲ୍ଲୀକୁ ଆସିଥିଲେ। ବୁଧବାର ଗାୟତ୍ରୀ ଦୁଇ ଝିଅଙ୍କୁ ମାମୁ ଘରେ ଛାଡି କୌଣସି ଏକ କାମରେ ଭାଇଙ୍କ ସହ କାନକୁଟୁରୁ ଗାଁ କୁ ଯାଇଥିଲେ।ସନ୍ଧ୍ୟାରେ ଉଭୟେ ଭାଇ ଭଉଣୀ ଘରକୁ ଫେରି ଦେଖିଲା ବେଳକୁ ଘରେ ସାନ ଝିଅ ଅର୍ଚ୍ଚନା ନଥିଲେ। ବହୁ ଖୋଜା ଖୋଜି ପରେ ମଧ୍ୟ ଝିଅର ସନ୍ଧାନ ମିଳିନଥିଲା। ପରେ ଝିଅ ନିଖୋଜ ଥିବା ନେଇ ମା ଗାୟତ୍ରୀ ଜଗନ୍ନାଥପ୍ରସାଦରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଗତକାଲି ରାତିରେ ଅର୍ଚ୍ଚନାଙ୍କୁ ଖୋଜୁଥିବା ସମୟରେ ଅର୍ଚ୍ଚନାଙ୍କ ମୃତଦେହ ତାଙ୍କ ମାଇଁ ବିଦ୍ୟା ଭାରତୀଙ୍କ ଘର ବାରିପଟ ୨୦ ମିଟର ଦୂର ଏକ ପାଇଖାନା ଘରୁ ମିଳିଥିଲା। ତାର ବେକରେ ଦାଗ ଥିଲା ଓ ଶବକୁ ଜରି ପାଲ ଘୋଡ଼ାଯାଇଥିଲା। ତତକ୍ଷଣାତ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଘଟଣାସ୍ଥଳ ପରିଦର୍ଶନ କରି ବିଭିନ୍ନ ଦିଗକୁ ନେଇ ଛାନଭିନ୍ କରି ଫେରିଥିଲେ। ଜଗନ୍ନାଥପ୍ରସଦ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା, ବେଲଗୁଣ୍ଠା ଥାନାଧିକାରୀଣୀ ରେବତୀ ଶବର, ତାରାସିଂ ଥାନାଧିକାରୀଣୀ ଶୁଭଲକ୍ଷ୍ମୀ ପୂଜାରୀ, ବାଲିପଦର ଫାଣ୍ଡି ଅଧିକାରୀ କେ. ନୀଳାଦ୍ରି ରେଡ଼ି ଓ ଭଞ୍ଜନଗର ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏଫଏମଟିକୁ ପଠାଇଥିଲେ। ପରେ ଜଗନ୍ନାଥପ୍ରସାଦ ପୁଲିସ ତାଙ୍କ ମାଇଁ ଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ସେ ନିଜେ ତାଙ୍କ ଭାଣିଜୀ ଙ୍କୁ ହତ୍ୟା କରିଥିବା ମାନିଥିଲେ। ଏହି ଘଟଣାରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଗୁରୁବାର ମୃତ ନାବାଳିକା ଙ୍କ ମାଇଁ ବିଦ୍ୟା ଭାରତୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅତିରିକ୍ତ ଏସପି ଶ୍ରୀ ଦେ କହିଛନ୍ତି।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.