ଯାଜପୁର ଜିଲ୍ଲାପାଳଙ୍କ ଦ୍ଵାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚାନକ ପରିଦର୍ଶନ ।

0 194

ଯାଜପୁର, ୦୯/୦୪(ପିପିଟି): ଯାଜପୁର ଜିଲ୍ଲାପାଳ  ଅମ୍ବର କୁମାର କର ଗୁରୁବାର ସକାଳେ ଅଚାନକ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ସେ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ସ୍ୱାସ୍ଥ୍ୟସେବାର ବାସ୍ତବ ସ୍ଥିତି ସମୀକ୍ଷା କରିଥିଲେ। ଜିଲ୍ଲାପାଳ ପ୍ରଥମେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେମାନେ ପାଉଥିବା ଚିକିତ୍ସାର ଗୁଣବତ୍ତା ଓ ଡାକ୍ତରୀ ସେବା ଉପରେ ସେମାନଙ୍କ ମତାମତ ପଚାରି ବୁଝିଥିଲେ। ଏହାପରେ ସେ କାଜୁଆଲିଟି ବିଭାଗକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଦୁଇଟି ଦୁର୍ଘଟଣା ମାମଲାରେ ପୀଡ଼ିତ ରୋଗୀଙ୍କ ସହ କଥା ହୋଇଥିଲେ। ପରୀକ୍ଷାଗାର ପରିଦର୍ଶନ ସମୟରେ ସେଠାରେ ଆବଶ୍ୟକୀୟ ଉପକରଣ, ଯନ୍ତ୍ରପାତି ଓ ରିଏଜେଣ୍ଟର ଉପଲବ୍ଧତା ବିଷୟରେ ଅନୁଧ୍ୟାନ କରିଥିଲେ। ପ୍ରତିଦିନ କେତେ ସଂଖ୍ୟାରେ ଏବଂ କେଉଁ ପ୍ରକାର ପରୀକ୍ଷା କରାଯାଉଛି, ସେ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ। ଏହାପରେ ସେ “ନିରାମୟ” ଔଷଧ ବିତରଣ କେନ୍ଦ୍ର ପରିଦର୍ଶନ କରି ଉପସ୍ଥିତ ରୋଗୀଙ୍କ ସହ କଥା ହୋଇଥିଲେ ଏବଂ ମାଗଣା ଔଷଧ ଠିକ୍ ଭାବରେ ମିଳୁଛି କି ନାହିଁ, ସେ ବିଷୟରେ ତଦାରଖ କରିଥିଲେ।

ଚିକିତ୍ସାଳୟର ଦ୍ଵିତୀୟ ମହଲାରେ ନୂତନ ଭାବେ ନିର୍ମିତ ହୋଇଥିବା ପେ-କ୍ୟାବିନଗୁଡିକୁ ମଧ୍ୟ ଜିଲ୍ଲାପାଳ ବୁଲି ଦେଖିଥିଲେ। ସେଠାରେ ଲାଗିଥିବା ପେସେଣ୍ଟ କଲିଂ ସିଷ୍ଟମ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧାଗୁଡିକର କାର୍ଯ୍ୟକାରିତା ନିରୀକ୍ଷଣ କରିଥିଲେ। ଖୁବ୍ ଶୀଘ୍ର ଏହି କ୍ୟାବିନ ଗୁଡିକୁ ରୋଗୀଙ୍କ ସେବା ପାଇଁ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲା ମୁଖ୍ୟ ଜନ ସ୍ଵାସ୍ଥ୍ୟ ଓ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହାସହ ଡାକ୍ତରଖାନାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଅଗ୍ନିକାଣ୍ଡ ଭଳି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଆଗୁଆ ସତର୍କ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲ୍ଲାପାଳ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ସହ ମେଡିକାଲ କଲେଜରେ ଡାକ୍ତରୀ ସେବା ସମ୍ପର୍କରେ ଆଲୋଚନା କରିଥିଲେ।  ବିଶେଷ କରି ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଯେଭଳି କୌଣସି ବ୍ୟାଘାତ ନ ହୁଏ, ସେଥିପାଇଁ ପରାମର୍ଶ ଦେଇଥିଲେ। ଏହାସହ ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.