ଭୁବନେଶ୍ବର,୦୭/୦୪(ପିପିଟି):ଗଞ୍ଜେଇ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସ ଏକ ବିଶାଳ ସଫଳତା ଅର୍ଜନ କରିଛି। ଅଡ଼ବା ଥାନା ଅନ୍ତର୍ଗତ କାରିଗେଜୁ ଗ୍ରାମରେ ଚଢ଼ାଉ କରି ପୋଲିସ ପ୍ରାୟ ୨,୮୧୧ କେଜି (୨.୮ ଟନ୍) ଗଞ୍ଜେଇ ଜବତ କରିଛି। ବିଗତ କିଛି ମାସ ମଧ୍ୟରେ ଜିଲ୍ଲା ପୋଲିସ ବିଭିନ୍ନ ଥାନା ଅଞ୍ଚଳରେ ୧୨ ଟନରୁ ଅଧିକ ଗଞ୍ଜେଇ ଜବତ କରିଛି।
ଉଲ୍ଲେଖ ଯୋଗ୍ୟ ଯେ,ଗତକାଲି ଭୋର ସମୟରେ ଆର୍.ଉଦୟଗିରି ଏସଡିପିଓ ରାକେଶ ସାହୁ, ଆଇପିଏସଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଅଡ଼ବା ଥାନା ଅନ୍ତର୍ଗତ କାରିଗେଜୁ ଗ୍ରାମ ନିକଟସ୍ଥ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଏହି ସର୍ଚ୍ଚ ଅପରେସନ ଚଲାଇଥିଲେ। ଏହି ସର୍ଚ୍ଚ ଅପରେସନ ସମୟରେ ଲୁଚାଇ ରଖାଯାଇଥିବା ମୋଟ ୧୧୩ଟି ପ୍ଲାଷ୍ଟିକ୍ ବ୍ୟାଗ ଜବତ କରାଯାଇଥିଲା। ସେଥିରୁ ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାୟନ କରିଥିବାବେଳେ,ସେମାନଙ୍କୁ ଚିହ୍ନଟ କରି ଶୀଘ୍ର ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି।
ଏହି ସଂକ୍ରାନ୍ତରେ ଅଡ଼ବା ଥାନାରେ କେସ୍ ନମ୍ବର ୭୦ (ତା. ୦୬.୦୪.୨୦୨୬) ପଞ୍ଜିକୃତ କରାଯାଇ ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(ii)(C)ଅନୁସାରେ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ ଯେ, ଅଡବା ଓ଼ ଆର ଉଦୟଗିରି ଥାନା ଅଞ୍ଚଳରେ ଗତ ୧୮.୧୧.୨୦୨୫ ରିଖଠାରୁ ୦୬.୦୪.୨୦୨୬ ରିଖ ମଧ୍ୟରେ ପୋଲିସ ନିଶା କାରବାର ବିରୋଧରେ ବ୍ୟାପକ ସଫଳତା ହାସଲ କରିଛି। ଏହି ସମୟ ମଧ୍ୟରେ ଅଡ଼ବା ଥାନା ଅଞ୍ଚଳରେ ୧୧ଟି ମାମଲା ରୁଜୁ କରାଯାଇ ମୋଟ ୯,୬୭୬ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଆର୍. ଉଦୟଗିରି ଥାନା ଅଞ୍ଚଳରେ ୪ଟି ମାମଲାରେ ୨,୮୨୫ କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ସର୍ବମୋଟ ୧୫ଟି ମାମଲାରେ ଜିଲ୍ଲା ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ୧୨,୫୦୧ କେଜିରୁ ଅଧିକ (ପ୍ରାୟ ୧୨.୫୦୧ ଟନ୍) ବେଆଇନ ଗଞ୍ଜେଇ ଜବତ କରାଯାଇଛି। ବିଶେଷକରି କେଶରୀଗୁଡ଼ା ଅଞ୍ଚଳରୁ ୪,୦୪୦ କେଜି, ବୁରିପଦର ଅଞ୍ଚଳରୁ ୧୮୩୦ କେଜି ଏବଂ କାରିଗେଜୁ ଜଙ୍ଗଲରୁ ୨,୮୧୧ କେଜି ଭଳି ବିପୁଳ ପରିମାଣର ଗଞ୍ଜେଇ ଉଦ୍ଧାର କରାଯାଇ ନିଶା ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ,ଗଞ୍ଜେଇ ଚାଷ ଓ ଅବୈଧ କାରବାର ବିରୋଧରେ ରାଜ୍ୟ ପୋଲିସ ତରଫରୁ ଏକ ସଂଘବଦ୍ଧ ଅଭିଯାନ ଚାଲିଛି। ରାଜ୍ୟରୁ ଏହି ଅବୈଧ କାରବାରକୁ ମୂଳପୋଛ କରିବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶାନୁସାରେ ତୃଣମୂଳ ସ୍ତରରେ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି।