ହରପ୍ରସାଦ ଦାସଙ୍କୁ ଜଷ୍ଟିସ୍ ଦୀପକ ମିଶ୍ର ସାହିତ୍ୟ ସମ୍ମାନ

0 179

କଟକ,୦୪/୦୪(ପିପିଟି ): ଲେଖକର ହୃଦୟର ଲେଖା ପାଠକର ହୃଦୟରେ ଝଙ୍କୃତ ହେଲେ ସାହିତ୍ୟର ଜୟ ହୋଇଥାଏ । ଭାଷା-ସାହିତ୍ୟର ଅନ୍ତର୍ନିହିତ ଶକ୍ତି ଅଛି, ଯାହା ଆମକୁ ଯୁଗ ଯୁଗ ଧରି ପ୍ରେରଣା ଯୋଗାଇ ଆସିଛି ବୋଲି ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ସମାରୋହରେ ହରପ୍ରସାଦ ଦାସଙ୍କୁ ‘ଜଷ୍ଟିସ୍ ଦୀପକ ମିଶ୍ର ସାହିତ୍ୟ ସମ୍ମାନ’ ପ୍ରଦାନ କରି ମୁଖ୍ୟ ଅତିଥି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର ପ୍ରକାଶ କରିଛନ୍ତି ।
ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ସମ୍ମାନ ଗ୍ରହଣ କରି ବିଶିଷ୍ଟ ସାରସ୍ୱତ ସାଧକ ହରପ୍ରସାଦ ଦାସ କହିଲେ ଯେ, ଆମ ସାହିତ୍ୟ ଯେତେ ମୌଳିକ ହେବ, କୃତ୍ରିମ ବୃଦ୍ଧିମତ୍ତା ତା ନିକଟରେ ହାର୍ ମାନିବ । ଭାରତୀୟ ସମୃଦ୍ଧ ସାହିତ୍ୟ ଓ ସଂସ୍କୃତି ସର୍ବଦା ବିଶ୍ୱକୁ ମାର୍ଗ ଦେଖାଇ ଆସିଛି । ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଜ୍ଞନ ବିତରଣ ଭାଷା ଓ ଜ୍ଞାନ ସୃଜନର ଭାଷା ପାଠକ ଅନୁରୂପ ହେଲେ ତାହା ଅଧିକ ଗ୍ରହଣୀୟ ହେଇପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ପ୍ରଫେସର ବିଜୟାନନ୍ଦ ସିଂହ କହିଲେ, ଏ ଜାତିକୁ ଉନ୍ନତ ଓ ବିକଶିତ କରିବା ପାଇଁ ସାହିତ୍ୟର ବଡ଼ ଭୂମିକା ରହିଛି ।
ଉତ୍ସବରେ କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ଡକ୍ଟର ଧରଣୀଧର ନାଥ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ ସ୍ୱାଗତ ଭାଷଣ ଓ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ମାନପତ୍ର ପାଠ କରିଥିଲେ ଗୋପା ଦାସ ଓ ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନ ସଂପାଦକ ଶଶିକାନ୍ତ ରାଉତ । ଅନ୍ୟମାନଙ୍କ ମଧ୍ୟରେ ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ, କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ, ଡକ୍ଟର ବୈଜୟନ୍ତୀମାଳା ଶତପଥୀ, ମୀରା ବେଉରା, ଶିବାଶିଷ କରଙ୍କ ସମେତ ଶତାଧିକ ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.