ଜିଲ୍ଲାର ଟେକ ରଖିଲା ମନ୍ଦାର ପଞ୍ଚାୟତ।

0 187

ପୋଲସରା,୦୩/୦୪ (ପିପିଟି):ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତ ଦେଶର ସର୍ବଶ୍ରେଷ୍ଠ ପଞ୍ଚାୟତ ଭାବେ ଘୋଷଣା ହୋଇଛି। କେନ୍ଦ୍ର ସରକାରଙ୍କ ଦିନଦୟାଲ ଉପାଧ୍ୟାୟ ପଞ୍ଚାୟତ ସ୍ବଚ୍ଛତା ବିକାଶ ପୁରସ୍କାର ଯୋଜନାରେ ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତକୁ ସାମିଲ କରାଯାଇଛି। ଏନେଇ କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରାଳୟର ଆର୍ଥିକ ପରାମର୍ଶଦାତା ବିଜୟ କୁମାର ବେହେରା ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଯାହାକି ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିଛି। ୨୦୨୩-୨୪ ଆର୍ଥିକ ବର୍ଷର ତଥ୍ୟ ଅନୁଯାଇ ଚୟନ କରାଯାଇଛି। ସୂଚନା ଯୋଗ୍ୟ ଯେ ଗ୍ରାମାଞ୍ଚଳରେ ହିଂସା ମୁକ୍ତ, ସୁସ୍ଥ, ନିରାପତ୍ତା ଓ ସମାନତା ମୂଳକ ପରିବେଶ ସୃଷ୍ଟି କରିବା ଏବଂ ବଞ୍ଚିତ ବର୍ଗଙ୍କୁ ସୁରକ୍ଷା ପ୍ରଦାନ କରିବା ଏହାର ମୂଳଲକ୍ଷ୍ୟ ଅଟେ। ମହିଳା, ଶିଶୁ ଓ ବୃଦ୍ଧଙ୍କ ପାଇଁ ସୁରକ୍ଷିତ ବାତାବରଣ ବାସନ୍ଦ ଏକ ଘରିକିଆ ପ୍ରଥା ଏବଂ ଲିଙ୍ଗଗତ ଭାବର ନିରାକରଣ, ଭିନ୍ନ କ୍ଷମ ମାନଙ୍କ ପାଈଁ ସ୍ୱତନ୍ତ୍ର ସୁବିଧା ଏବଂ ଦକ୍ଷତା ବିକାଶ ସହିତ ସମସ୍ତଙ୍କ ପାଈଁ ଉନ୍ନତ ସ୍ୱାସ୍ଥ୍ୟ ସେବା, ସ୍ୱଚ୍ଛ ପାନୀୟ ଜଳ ଏବଂ ସୁନିଶ୍ଚିତ ଶିକ୍ଷା ବ୍ୟବସ୍ଥା ଆଧାରରେ ଉକ୍ତ ପଞ୍ଚାୟତକୁ ଚୟନ କରାଯାଇଛି। ମିଳିଥିବା ତଥ୍ୟ ଅନୁଯାଇ ଆର୍ଥିକ ବର୍ଷ ୨୦୨୩-୨୪ ରେ ଏହି ଗ୍ରାମ ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ୬୩୬ ଜଣ ଏବଂ ରାଜ୍ୟ ସରକାରଙ୍କ ପରିଚାଳିତ ବିଭିନ୍ନ ଯୋଜନାରେ ୩୪୭ ଜଣ ଏପରି ଭାବେ ମୋଟ ୯୮୩ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା, ୩୩୭୧ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ, ୪୦୪ ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାରେ ରାସନ ଏବଂ ୩ଜଣ ଦିବ୍ୟାଙ୍ଗଙ୍କୁ ବସ ପାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦୪ ଜଣଙ୍କୁ ଗୃହ, ଅନ୍ତୋଦୟ ଗୃହ ଯୋଜନାରେ ୩୮ଜଣ ହିତାଧିକାରୀଙ୍କୁ ଏବଂ ୧୧୬ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ୧୫ହଜାର ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ବୈବାହିକ ସହାୟତା ଜଣଙ୍କୁ ପ୍ରଦାନ କରାଯାଇଛି। ଦେଶରେ ସର୍ବଶ୍ରେଷ୍ଠ ପଂଚାୟତ ଭାବେ ସମଗ୍ର ଜିଲ୍ଲାରେ ଟେକ ରଖିବା ଏବଂ ବିଡ଼ିଓ ଶଶୀଭୂଷଣ ମହାପାତ୍ରଙ୍କ ଏଥିପ୍ରତି ଅତୁଳନୀୟ ଅବଦାନ ରହିଥିବା ଯୋଗୁଁ ବୋଲି ମନ୍ଦାର ପଞ୍ଚାୟତର ସରପଞ୍ଚ ସୁନିତା ଜେନାଙ୍କ ସମେତ ସମସ୍ତ ପଞ୍ଚାୟତ ବାସୀ ବିଡ଼ିଓଙ୍କୁ ଏବଂ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ୍ ପ୍ରଦାନ କରିଛନ୍ତି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.