ଓଡ଼ିଆ ପକ୍ଷ-୨୦୨୬ ପାଇଁ ପ୍ରସ୍ତୁତି: ବ୍ଲକ ଓ ପଞ୍ଚାୟତ ସ୍ତରରେ ପାଳିତ ହେବ ଭାଷା ଓ ସଂସ୍କୃତିର ଉତ୍ସବ ।

0 163

ମାଲକାନଗିରି, ୩୧/୦୩(ପିପିଟି):ଆସନ୍ତା ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳିତ ହେବାକୁ ଥିବା ଓଡ଼ିଆ ପକ୍ଷ-୨୦୨୬ କାର୍ଯ୍ୟକ୍ରମକୁ ମାଲକାନଗିରି ଜିଲ୍ଲାରେ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଉପସ୍ଥିତ ଥିଲେ। ଜିଲ୍ଲାର ସମସ୍ତ ବ୍ଲକ, ପଞ୍ଚାୟତ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ଉତ୍ସବକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।ଏପ୍ରିଲ ୧ ଓଡ଼ିଶା ଦିବସ ଦିନ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ।ଏପ୍ରିଲ ୨ କୁ ଖଡ଼ିଛୁଆଁ ଦିବସ ଭାବେ ପାଳନ କରାଯାଇ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇ ପାରମ୍ପରିକ ରୀତିରେ ବିଦ୍ୟାରମ୍ଭ କରାଯିବ।ଏପ୍ରିଲ ୩ ରେ ଆମ ପୋଷାକ, ଆମ ପରିଚୟ ବାର୍ତ୍ତା ନେଇ ସବୁ ସରକାରୀ କର୍ମଚାରୀ ଓ ସାଧାରଣ ଜନତାଙ୍କୁ ଓଡ଼ିଆ ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପରିଧାନ ପାଇଁ ପ୍ରୋତ୍ସାହିତ କରାଯିବ।ଏପ୍ରିଲ ୬ ରେ ଐତିହ୍ୟ ସଂରକ୍ଷଣ ଓ ସ୍ୱଚ୍ଛତା ପାଇଁ ଜିଲ୍ଲାର ପ୍ରମୁଖ ମନ୍ଦିର ଓ ଐତିହ୍ୟ ସ୍ଥଳୀଗୁଡ଼ିକରେ ବ୍ୟାପକ ସଫେଇ ଅଭିଯାନ କରାଯିବ। ସେହିପରି ଜିଲ୍ଲାର ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ ନାମଫଳକ ଲଗାଇବାକୁ ସଚେତନତା ସୃଷ୍ଟି କରାଯିବ।ସ୍କୁଲ ଓ କଲେଜ ସ୍ତରରେ ଯୁବ ଲେଖକମାନଙ୍କୁ ନେଇ ସମ୍ମିଳନୀ ଆୟୋଜନ ହେବ। ଏପ୍ରିଲ୍ ୧୪ ରେ ଆମ ରୁଚି, ଆମ ଖାଦ୍ୟ ଥିମ୍ ରଖାଯାଇ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପାରମ୍ପରିକ ଖାଦ୍ୟ ଓ ପଣା ବିତରଣ କରାଯିବ। ଏହି କାର୍ଯ୍ୟକ୍ରମଗୁଡ଼ିକର ସଠିକ୍ ପରିଚାଳନା ପାଇଁ ସମସ୍ତ ବିଡିଓ, ତହସିଲଦାର ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ବୈଠକ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ପୃକ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଓଡ଼ିଆ ଭାଷା ଓ ସଂସ୍କୃତି ଆମର ଗର୍ବ, ଏହାକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଟି ଜିଲ୍ଲାବାସୀ ସାମିଲ ହେବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.