ଫସଲ ବିବିଧିକରଣ ଉପରେ କର୍ମଶାଳା ଆୟୋଜିତ ।

0 202

ବ୍ରହ୍ମପୁର,୧୮/୦୩(ପିପିଟି): କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ–୨, ବ୍ରହ୍ମପୁର ସମ୍ମିଳନୀ କକ୍ଷ ପରିସରରେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟର ସମନ୍ୱିତ କୃଷି ପ୍ରଣାଳୀର ସର୍ବଭାରତୀୟ ଗବେଷଣା ପ୍ରକଳ୍ପ ଦ୍ୱାରା ଫସଲ ବିବିଧିକରଣ ଉପରେ କର୍ମଶାଳା ଆୟୋଜିତ ହୋଇଥିଲା। ପ୍ରକଳ୍ପର ମୁଖ୍ୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ପ୍ରମୁଖ ବୈଜ୍ଞାନିକ ଡ. ଅମରେଶ ଖୁଣ୍ଟିଆ ଏଥିରେ ଯୋଗଦେଇ କର୍ମଶାଳାକୁ ଆରମ୍ଭ କରିଥିଲେ। ପ୍ରଥମ ଦୁଇ ଦିନରେ ରଙ୍ଗେଇଲୁଣ୍ଡା,ଚିକିଟି ଓ କୁକୁଡାଖଣ୍ଡି ର କ୍ଷେତ୍ର କର୍ମଚାରୀ ମାନେ ଭାଗ ନେଇଥିଲେ। କର୍ମଶାଳା ରେ ଅଧ୍ୟକ୍ଷତା କରି କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ ସୁଜିତ୍ କୁମାର ନାଥ ପରିବର୍ତ୍ତିତ ପରିସ୍ଥିତିରେ ସମନ୍ୱିତ କୃଷି ର ବିଭିନ୍ନ ଦିଗ ଉପରେ ତଥ୍ୟ ରଖିଥିଲେ। ରାଇଟ ଗଞ୍ଜାମର ଅଧ୍ୟକ୍ଷ ଡ଼ ପ୍ରମୋଦ କୁମାର ମହାପାତ୍ର ମୃତ୍ତିକା ପରୀକ୍ଷଣ ଓ ପରିଚାଳନା ଉପରେ ସମ୍ୟକ ଧାରଣା ଦେଇଥିଲେ। କୃଷି ବିଶ୍ୱବିଦ୍ୟାଳୟର ସହଯୋଗୀ ଅଧ୍ୟାପକ ଡ ବିଭୂତି ଭୂଷଣ ବେହେରା କୃଷି ଉତ୍ପାଦନ ବୃଦ୍ଧିରେ ମୃତ୍ତିକାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ରୋଗପୋକ ବୈଜ୍ଞାନିକ ଡ ସନ୍ଦୀପ ମହାନ୍ତି ବିଭିନ୍ନ ଫସଲ ର କ୍ଷତିକାରକ ରୋଗ ଓ ପୋକ ର ନିୟନ୍ତ୍ରଣ ପଦ୍ଧତି ଉପରେ ଆଲୋକପାତ କରିଥିଲେ। କେନ୍ଦ୍ରର ମତ୍ସ୍ୟ ବୈଜ୍ଞାନିକ ଡ୍ ସିଦ୍ଧାର୍ଥ ଶଙ୍କର ଦାସ ଖାଲୁଆ ଜମିରେ ମାଛ ଚାଷ ଏକ ଉତ୍ତମ ରୋଜଗାର ପନ୍ଥା ବୋଲି ବର୍ଣ୍ଣନା କରିଥିଲେ। ଅନ୍ତିମ ଦିନରେ ଚାଳିଶି ଜଣ ଆଗୁଆ ମହିଳା ପୁରୁଷ ଚାଷୀ ବିଭିନ୍ନ ବ୍ଲକ ରୁ ଯୋଗ ଦେଇ ଜିଲ୍ଲାରେ କୃଷି ଜନିତ ବିଭିନ୍ନ ଅସୁବିଧା ଉପରେ ଆଲୋକପାତ କରିଥିଲେ। ମୃତ୍ତିକା ବୈଜ୍ଞାନିକ ଡ୍ ଦେବାଶିଷ ଷଡ଼ଙ୍ଗୀ ଓ ଶସ୍ୟ ବିଜ୍ଞାନୀ ସସ୍ମିତା ପ୍ରିୟଦର୍ଶିନୀ ପାୱାର ପଏଣ୍ଟ ମାଧ୍ୟମରେ କୃଷକ ମାନଙ୍କୁ ସେମାନଙ୍କର ପ୍ରଶ୍ନ ର ଉତ୍ତର ଦେବା ସହ ନୂତନ ଜ୍ଞାନ କୌଶଳ ଉପରେ ଧାରଣା ଦେଇଥିଲେ। ସ୍ଥାନୀୟ କୃଷି ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁ ମଧ୍ୟ ସମସ୍ୟା ସବୁ କହିବା ସହ ସରକାରୀ ସୁବିଧା ଉପରେ କହିଥିଲେ। ପରିଶେଷରେ ମୁଖ୍ୟ ଅତିଥି ଗଞ୍ଜାମ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ ପଟ୍ଟନାୟକଙ୍କ ହାତରେ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଆଗୁଆ ଚାଷୀ କୁକୁଡାଖଣ୍ଡି ବ୍ଲକ୍ ର ନିରଞ୍ଜନ ଗୌଡଙ୍କୁ ଜଳବନ୍ଧୁ ଉପାଧିରେ ଭୂଷିତ କରାଯାଇଥିଲା । ଏହି ବହୁ ଦିବସୀୟ କର୍ମଶାଳାକୁ ରବି ଶଙ୍କର ମିଶ୍ର ପରିଚାଳନା କରିଥିଲେ।

Leave A Reply

Your email address will not be published.