ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ; ବିଗତ ଦୁଇ ମାସରେ ୭୬୧ଟି ଡିଏଲ ରଦ୍ଧ, ଆଗକୁ ଆହୁରି ଅଧିକ ହେବ କାର୍ଯ୍ୟାନୁଷ୍ଠାନ ।

0 268

ଛତ୍ରପୁର,୧୧/୦୩(ପିପିଟି) : ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ଦ୍ଧିତ ସଡ଼କ ଦୁର୍ଘଟଣା ଓ ତତଜନିତ ପ୍ରାଣହାନୀକୁ ଦୃଷ୍ଟିରେ ରଖି ଜନ ସଚେତନତାକୁ ଆହୁରି ପରିବ୍ୟାପ୍ତ କରିବା ସହିତ ନୀତି ନିୟମର କଡାକଡି ଅନୁପାଳନ, ଏନଫୋର୍ସମେଣ୍ଟକୁ ଅଧିକ ତୀବ୍ରତର କରିବା, ଗାଡିଚାଳକମାନଙ୍କ ମଧ୍ୟରେ ସଚେତନତା ମାଧ୍ୟମରେ ସମ୍ବେଦନଶୀଳତା ବୃଦ୍ଧି କରିବା ଉପରେ ଜ଼ିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଜାନୁଆରୀ ୨୦୨୬ରେ ୧୦୯ଟି ସଡ଼କ ଦୁର୍ଘଟଣା ଘଟି ୬୯ ଜଣଙ୍କ ପ୍ରାଣହାନୀ ଓ ୫୪ ଜଣ ଆହତ ହୋଇଥିଲେ, ଯାହା ଜାନୁଆରୀ ୨୦୨୫ (୬୫ଟି ଦୁର୍ଘଟଣା ଓ ୩୧ ପ୍ରାଣହାନୀ) ତୁଳନାରେ ବହୁତ ଅଧିକ ଅଟେ । ସେହିପରି ଫେବ୍ରୁଆରୀ ୨୦୨୬ ମାସରେ ୬୧ଟି ଦୁର୍ଘଟଣା ଘଟି ୩୬ ଜଣଙ୍କ ମୃତ୍ୟୁ ଓ ୫୨ ଜଣ ଆହତ ହୋଇଥିଲେ। ଯଦିଓ ଫେବ୍ରୁଆରୀ ୨୦୨୫ (୬୨ଟି ଦୁର୍ଘଟଣା) ସହିତ ତୁଳନା କଲେ ଦୁର୍ଘଟଣା ସଂଖ୍ୟା କମିଛି, କିନ୍ତୁ ମୃତ୍ୟୁହାର ପ୍ରାୟ ୨୪ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଦୁର୍ଘଟଣାର ଗୁରୁତ୍ୱତାକୁ ଦର୍ଶାଉଛି । ବିଶେଷ କରି ଜାତୀୟ ରାଜପଥ ଗୁଡିକରେ ଅଧିକ ଦୁର୍ଘଟଣା ପରିଲିକ୍ଷିତ ହେଉଛି । ବିଶେଷ କରି ରାଜପଥ ଗୁଡିକରେ ଅଧିକ ଦୁର୍ଘଟଣା ହେଉଛି । ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ପୁରୁଷୋତ୍ତମପୁର, ଦିଗପହାଣ୍ଡି,ବ୍ରହ୍ମପୁର ଟ୍ରାଫିକ ଅଞ୍ଚଳ, ଖଲ୍ଲିକୋଟ,ଗୋଳନ୍ଥରା,ଗୋସାଇଁ ନୂଆଗାଁ ଓ ଚମାଖଣ୍ଡିରେ ଦୁର୍ଘଟଣା ରୋକିବା ପାଇଁ ଏନଫୋର୍ସମେଣ୍ଟକୁ ଅଧିକ ତୀବ୍ରତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ପୁଲିସ ଜ଼ିଲ୍ଲା ଓ ବ୍ରହ୍ମପୁର ପୁଲିସ ଜ଼ିଲ୍ଲାର ଯେଉଁ ଥାନା ଅଚଂଳରେ ଅଧିକ ସଡକ ଦୁର୍ଘଟଣା ପରିଲିକ୍ଷିତ ହେଉଛି ସେହି ସବୁ ଅଞ୍ଚଳରେ ହେଲମେଟ ଯାଞ୍ଚ ଓ ମଦ୍ୟପାନ ଚାଳକଙ୍କ ଯାଞ୍ଚକୁ ତୀବ୍ରତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ରାଜପଥ ଉପରେ ବିଭିନ୍ନ ସ୍ଥାନରେ ବ୍ୟାରିକେଟ ଲଗାଯାଇଛି ସେହିପରି ପୁରୁଷୋତ୍ତମପୁର ଠାରୁ କୋଦଳା ରାସ୍ତାରେ ମଧ୍ୟ ବ୍ୟାରିକେଟ ଲଗାଯିବ ।

ବେପାରୁଆ ଗାଡି ଚାଳକଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟୁଥିବାରୁ ବିଗତ ଦୁଇ ମାସରେ ୭୬୧ଟି ଡିଏଲ ରଦ୍ଧ କରାଯାଇଥିବା ବେଳେ ଜାନୁଆରୀ ମାସରେ ୧୦ ହଜାର ୧୧ଟି ଚାଲାଣ କଟାଯାଇଥିବା ସ୍ଥଳେ ସେମାନଙ୍କ ମଧ୍ୟରେ ୬୯୫୫ ଜଣ ହେଲମେଟ ପିନ୍ଧିନଥିବା ଗାଡି ଚାଳକଙ୍କ ଚାଲାଣ କଟାଯାଇଛି । ଗୋଟିଏ ଜୀବନଠାରୁ ମୂଲ୍ୟବାନ ଜିନିଷ ଏଇ ସଂସାରରେ ଆଉ କିଛି ନାହିଁ, ତେଣୁ ଜ଼ିଲ୍ଲାର ସମସ୍ତ ନାଗରିକ, ମୁଖ୍ୟତଃ ଯୁବପିଢ଼ି ସଚେତନ ଓ ସମ୍ବେଦନତାର ସହ ଗାଡି ଚାଳନ କରିବା ପାଇଁ ଜ଼ିଲ୍ଲାପାଳ ପୁନଶ୍ଚ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଛତ୍ରପୁର କଲେଜ ଛକ ଓ ଡିଆରଡିଏ ଓଭର ବ୍ରିଜ ପାଇଁ ଅନୁମୋଦନ ମିଳିସାରିଛି ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ଏହାସହିତ ହୁମ୍ମା ଓଭର ବିଜ୍ର ନିର୍ମାଣ କାର୍ଯ୍ୟ ମଧ୍ୟ ଯେତେଶୀଘ୍ର ସମ୍ଭବ ସେତେ ଶୀଘ୍ର ଆରମ୍ଭ ହେବ ବୋଲି ବୈଠକରେ ଜଣାପଡିଛି । ଜାତୀୟସ୍ତରର ରାହା ଭୀର ଓ ପିଏମ ରାହତ ଯୋଜନା (ଦୁର୍ଘଟଣା ପୀଡ଼ିତଙ୍କ ପାଇଁ କ୍ୟାଶଲେସ୍ ଚିକିତ୍ସା ଯୋଜନା) ଅଧୀନରେ ଜନସାଧାରଣ କଣ କଣ ସୁବିଧା ପାଇପାରିବେ ସେ ସମ୍ପର୍କିତ ସୂଚନା ସମ୍ବଳିତ ସୁଦୃଶ୍ୟ ହୋଡିଂ ଜାତୀୟ ରଜପଥର ପାର୍ଶ୍ୱରେ ଲଗାଯିବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି । ବିଶେଷ ସୂଚନା ଯେ, କୌଣସି ବ୍ୟକ୍ତି ଯଦି ସଡକ ଦୁର୍ଘଟଣାରେ ଆହାତ ହୁଅନ୍ତି ତେବେ ପିଏମ ରାହତ ଯୋଜନାରେ ଯେ କୌଣସି ମେଡିକାଲରେ ୧ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ନିଃଶୁଳ୍କ ଚିକିତ୍ସା ସେବା ପାଇପାରିବେ ସେହିପରି ରାହ ଭୀର ଯୋଜନାରେ ଦୁର୍ଘଟଣା ସମୟରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ମିଳିବ ।

ଆଗାମି ଦିନରେ ଗଞ୍ଜାମରେ ଦୁର୍ଘଟଣା ହ୍ରାସ କରିବା ପାଇଁ ହେଲମେଟ ତାସହିତ ଅନ୍ୟାନ୍ୟ ସମ୍ବନ୍ଧୀୟ ଯାଞ୍ଚ କଡାକଡି ଭାବରେ କରାଯିବ । ଦିଗପହଣ୍ଡି,ତପ୍ତପାଣି ଘାଟି,ଆସିକା ସମେତ ବିଭିନ୍ନ ଦୁର୍ଘଟଣା ପ୍ରବଣ ସ୍ଥାନ ଉପରେ ଅଧିକ ଫୋକସ ଦିଆଯାଇ ଯାଞ୍ଚ କରାଯିବ । ଏହାସହିତ ଜାତୀୟ ରାଜପଥରେ ବର୍ତ୍ତମାନ ତିନୋଟି ଆମ୍ବୁଲାନ୍ସ ବ୍ୟବହୃତ ହେଉଥିବା ବେଳେ ଆଉ ଦୁଇ ନୂଆ ଆମ୍ବୁଲାନ୍ସ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି । ଟ୍ରାଫିକ ତଦାରଖ କରିବା ପାଇଁ ୫୦ଟି ଟ୍ରାଫିକ ୱାଡେନ ନିୟୋଜିତ ହେବେ । ୨୦ଟି ମଦ୍ୟପାନ ଯାଞ୍ଚ ମେସିନ ଏବଂ ବଡି କ୍ୟାମେରା ମଧ୍ୟ ଅଣାଯିବ । ଦୁର୍ଘଟଣା କିପରି ହ୍ରାସ ପାଇବ ସେନେଇ ଯେଉଁ ଆକ୍ସନ ପ୍ଲାନ କରାଯାଇଛି ତାଉପରେ ଆରକ୍ଷୀ ଓ ପରିବହନ ବିଭାଗ ଆହୁରି ଅଧିକ ଭଲଭାବରେ କାମ କରିବାକୁ ବୈଠକରେ କୁହାଯାଇଛି ।

ବୈଠକରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ସୁଭେନ୍ଦୁ କୁମାର ପାତ୍ର, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର, ପିଡିଏନଏଚଏଆଇ ଜେ.ପି ବର୍ମା, ଆଞ୍ଚଳିକ ପରିବହନ ଅଧିକାରୀ ଇଂ.ଦେବାଶିଷ ସ୍ୱାଇଁ,ଭାଗିରଥି ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.