ବରିଷ୍ଠ ନେତା ମଦନ ଗୋପାଳ ଦୋରାଙ୍କ ଦେହାନ୍ତ ।

0 152

ପୋଲସରା,୦୮/୦୩ (ପିପିଟି) : ବୁଗୁଡା ବ୍ଳକର ବରିଷ୍ଠ ରାଜନେତା ଗୋଲିଆ ଗ୍ରାମର ଇ.ମଦନ ଗୋପାଳ ଦୋରା ୬୯ ବର୍ଷ ବୟସରେ  ଆଜି ଭୁବନେଶ୍ୱର କେଏର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ପ୍ରାୟ ୭ ଟା ସମୟରେ ପ୍ରାଣତ୍ୟାଗ କରିଥିବା ଜଣାପଡିଛି। ତାଙ୍କ ମରଶରୀର ନିକଟରେ ନିଜର ପୁତ୍ର ଇ.ରବୀନ୍ଦ୍ର ଦୋରା, ଧର୍ମପତ୍ନୀ ଇ.ଶିଶୁଳା ଦୋରା, ଝିଅ, ଜୋଇଁ ଓ ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ରହି ସ୍ବର୍ଗତ ଦୋରାଙ୍କ ମର ଶରୀରକୁ ପୁରୀ ସ୍ବର୍ଗଦ୍ୱାରକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ୧୯୫୭ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ମଦନ ବାବୁ ତାଙ୍କ ଦୀର୍ଘ ରାଜନୈତିକ ଜୀବନରେ ଅପ୍ରତିଦ୍ବନ୍ଦି ନେତା ଭାବେ ପରିଚିତ ଥିଲେ। ଜନତା ଦଳ ଓ ବିଜୁ ଜନତା ଦଳରେ ଦୀର୍ଘ ବର୍ଷ ଧରି ବୁଗୁଡା ବ୍ଲକ ସଭାପତି ରହି ନିଜ ଅଞ୍ଚଳରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ସଫଳ ହୋଇଥିଲେ। ସେ ବହୁଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ଧର୍ମପତ୍ନୀ ଇ.ଶିଶୁଳା ଦୋରା ବୁଗୁଡା ବ୍ଳକର ଉପାଧ୍ୟକ୍ଷ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ୨୦୨୪ ସାଧାରଣ ନିର୍ବାଚନ ପରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ସମର୍ଥନ ଜଣାଇ ସ୍ବର୍ଗତ ମଦନ ବାବୁ ବିଜେପିରେ ଯୋଗଦେଇଥିଲେ। ଭୁବନେଶ୍ୱରରେ ଚିକିତ୍ସାଧୀନ ଥିବାବେଳେ ସ୍ଥାନୀୟ ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ହସପିଟାଲକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଡାକ୍ତରମାନଙ୍କୁ ଉତ୍ତମ ଚିକିତ୍ସାଦେବାକୁ ପରାମର୍ଶ ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ମନ୍ତ୍ରୀ ଶ୍ରୀ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଓ ବିଶିଷ୍ଟ ବ୍ୟକ୍ତି ବୃନ୍ଦ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.